Odisha Link
Bridging the Missing Links in Odisha

ମହିଳା ହୋମଗାର୍ଡଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା: ହସ୍ତକ୍ଷେପ କଲେ ମହିଳା କମିଶନ

୧୫ଦିନ ମଧ୍ୟରେ ରିପୋର୍ଟ ଦେବାକୁ କହିଛନ୍ତି।

ଓଏଲ୍‌ ବ୍ୟୁରୋ: ମହିଳା ହୋମଗାର୍ଡଙ୍କ ଆତ୍ମହତ୍ୟା ଉଦ୍ୟମ ଓ ଅଭିଯୋଗ ଘଟଣାକୁ ନେଇ ତେଜୁଛି ବିବାଦ। ମହିଳା ହୋମଗାର୍ଡଙ୍କ ଆତ୍ମହତ୍ୟା ଉଦ୍ୟମ ମାମଲାରେ ଜାତୀୟ ମାନବାଧିକାର କମିଶନରେ କେସ ଡାଏରୀ ରୁଜୁ ହୋଇଛି। ଜୟନ୍ତ ଦାସଙ୍କ ଅଭିଯୋଗ ଆଧାରରେ କେସ ଡାଏରୀ ହୋଇଛି। ଅଭିଯୋଗ ପରେ କେସ ଡାଏରୀ କରିଛି ଏନଏଚଆରସି। ଏହା ସହ ମହିଳା କମିଶନ ମଧ୍ୟ ଏଥିରେ ହସ୍ତକ୍ଷେପ କରିଛନ୍ତି। ୧୫ଦିନ ମଧ୍ୟରେ ରିପୋର୍ଟ ଦେବାକୁ କହିଛନ୍ତି।

ସୂଚନା ଅନୁସାରେ, ସମ୍ପୃକ୍ତ ମହିଳା ହୋମଗାର୍ଡ ହେଉଛନ୍ତି ଅନୁଗୁଳ ଜିଲ୍ଲା ରାଶୀଗୋଡାର ସୈରିଦ୍ରୀ ସାହୁ। ହୋମଗାର୍ଡ ଡିଜିଙ୍କୁ ଲେଖିଥିବା ଚିଠିରେ ସେ ଲେଖିଛନ୍ତି, ସେ ଅନୁଗୁଳ ଜିଲ୍ଲାରେ ଗଲା ୧୯ ବର୍ଷ ହେବ ଗୃହରକ୍ଷୀ ଭାବେ କାମ କରି ଆସୁଛନ୍ତି। ସାତ ମାସ ତଳେ ଅନୁଗୁଳରେ ଯୋଗଦେଇଥିବା ଡିଆଇଜି ପାହ୍ୟାର ଅଧିକାରୀ ବ୍ରିଜେଶ କୁମାର ରାଏଙ୍କ ଘରୋଇ କାମରେ ତାଙ୍କୁ ନିୟୋଜିତ କରାଯାଇଥିଲା।

ମହିଳା ହୋମଗାର୍ଡ ଡିଆଇଜିଙ୍କ ସମସ୍ତ ଘର କାମ କରୁଥିଲେ। କିନ୍ତୁ କୌଣସି କାମରେ ଟିକେ ଭୁଲ ହେଲେ ଡିଆଇଜିଙ୍କ ପତ୍ନୀ ତାଙ୍କୁ ମାଡ ମାରିବା ସହ ଚାକିରି ନେଇଯିବାର ଧମକ ଦେଉଥିବା ସେ ଅଭିଯୋଗ କରିଛନ୍ତି। ଗତ ୪ ତାରିଖରେ ଡିଆଇଜିଙ୍କ ପତ୍ନୀ ତାଙ୍କୁ ଗଳା ଧକ୍କା ଦେଇ ଘରୁ ବାହାର କରି ଦେଇଥିଲେ। ଏଭଳି ନିର୍ଯାତନା ଓ ଚାକିରି ଚାଲିଯିବା ଭୟରେ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିବା ସେ ଅଭିଯୋଗ କରିଛନ୍ତି।

ମହିଳା ହୋମଗାର୍ଡଙ୍କ ଆତ୍ମହତ୍ୟା ଉଦ୍ୟମ ଓ ଅଭିଯୋଗ ଘଟଣାକୁ ନେଇ ଡିଆଇଜି ବ୍ରିଜେଶ ରାଏ କହିଛନ୍ତି, ସୈରିଦ୍ରୀ ତାଙ୍କ ଘରେ କାମ କରୁଥିଲେ, ତାଙ୍କର କୌଣସି ଅସୁବିଧା ନଥିଲା। ବେଳେ ବେଳେ ସେ ବ୍ୟକ୍ତିଗତ ଜୀବନକୁ ନେଇ ଅନ୍ୟମନସ୍କ ରହୁଥିଲେ। ବଡ ଝିଅର ସମସ୍ୟା ଓ ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ସୈରିଦ୍ରୀ ଚିନ୍ତାରେ ରହୁଥିଲେ। ଭଉଣୀଙ୍କ ପୁଅର ମୃତ୍ୟୁକୁ ନେଇ ବିଚଳିତ ହୋଇପଡିଥିଲେ। ତେଣୁ ତାଙ୍କୁ ଅନ୍ୟତ୍ର କାମ କରିବାକୁ କୁହାଯାଇଥିଲା। ସୈରିଦ୍ରୀଙ୍କ ମନରେ କଣ ଥିଲା କହି ହେବନି ବୋଲି ବ୍ରିଜେଶ ରାଏ କହିଛନ୍ତି।

Leave A Reply

Your email address will not be published.