Odisha Link
Bridging the Missing Links in Odisha

ସୁଦର୍ଶନଙ୍କ ବାଲୁକା କଳାରେ ଚନ୍ଦ୍ରଯାନ-୩, ଇସ୍ରୋକୁ ଜଣାଇଲେ ଶୁଭକାମନା

ଓଏଲ୍‌ ବ୍ୟୁରୋ: ଗଡୁଛି ସମୟ ଆଉ ବଢୁଛି ହୃଦସ୍ପନ୍ଦନ। ସଫଳତାର ରୁପେଲି ଜହ୍ନ ଦେଖିବାକୁ ସାରା ଦେଶବାସୀ ଚାହିଁ ରହିଛନ୍ତି। ଭାରତର ମହତ୍ତ୍ବାକାଂକ୍ଷୀ ଚନ୍ଦ୍ର ଅଭିଯାନ ଉପରେ ସାରା ବିଶ୍ବର ନଜର ରହିଛି। ଆଜି ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ଚନ୍ଦ୍ରଯାନ-୩। ଏଥିପାଇଁ ବାଲୁକା କଳାରେ ଇସ୍ରୋକୁ ଶୁଭକାମନା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ନିଳାଦ୍ରୀ ବେଳାଭୂମିରେ ପ୍ରାୟ ୧୦ଟନ୍ ବାଲିରେ ୧୫ ଫୁଟ୍ ଲମ୍ବ ଓ ୧୦ ଫୁଟ ଉଚ୍ଚତାର ଆକର୍ଷଣୀୟ ବାଲୁକାକୃତି ସେ ନିର୍ମାଣ କରିଛନ୍ତି। ଏଥିରେ ଚନ୍ଦ୍ରାୟନ-୩ କକ୍ଷ ପଥ ଅତିକ୍ରମ କରି କିଭଳି ଚନ୍ଦ୍ରରେ ଅବତରଣ କରିବ ତାହାର ନିଖୁଣ ଭାବେ ପ୍ରଦର୍ଶିତ କରାଯାଇଛି।

ଅନ୍ୟପଟେ, ଇସ୍ରୋର ସଫଳ ଉତକ୍ଷେପଣ ଚନ୍ଦ୍ରଯାନ-୩କୁ ନେଇ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ୯ ଘଣ୍ଟା ପରେ ଚନ୍ଦ୍ରପୃଷ୍ଠକୁ ଛୁଇଁବ ଚନ୍ଦ୍ରଯାନ। ତେବେ ଲ୍ୟାଣ୍ଡିଂ ବା ଅବତରଣର ଶେଷ ୧୫ରୁ ୧୭ ମିନିଟ୍ ଚନ୍ଦ୍ରଯାନ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଯାହାକୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ’୧୫ ମିନିଟ୍ସ ଅଫ୍ ଟେରର’ କହିଛି। ତେବେ ଆଜି ସନ୍ଧ୍ୟାରେ ଥିବା ଅବତରଣ ପାଇଁ ସାରା ଦେଶବାସୀ ଆଗ୍ରହର ସହ ଚାହିଁ ରହିଛନ୍ତି।

ସୂଚନା ଅନୁସାରେ, ଚନ୍ଦ୍ରଯାନ-୩ର ଦ୍ୱିତୀୟ ପର୍ଯ୍ୟାୟ ଡିବୁଷ୍ଟିଂ ସଫଳତାର ସହ ଶେଷ ହୋଇଛି। କକ୍ଷପଥର ଆକାର ହ୍ରାସ କରାଯିବା ପରେ ଏବେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରଠାରୁ ସବୁଠୁ କମ୍ ୨୫ ଓ ସବୁଠୁ ଅଧିକ ୧୩୪ କିଲୋମିଟର ଦୂର କକ୍ଷପଥରେ ପ୍ରଦକ୍ଷିଣ କରୁଥିଲା। ଏହାରି ମଧ୍ୟରେ ଚନ୍ଦ୍ରପୃଷ୍ଠର ନୂଆ ଫଟୋ ପଠାଇଥିଲା ଚନ୍ଦ୍ରଯାନ-୩। ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ଅବତରଣ କରିବା ପାଇଁ ଲ୍ୟାଣ୍ଡର ବିକ୍ରମ ସୁରକ୍ଷିତ ସ୍ଥାନ ଖୋଜୁଛି। ଏଲଏଚଡିଏ କ୍ୟାମେରାରୁ ଏହି ଫଟୋ ଉତୋଳନ କରି ଲ୍ୟାଣ୍ଡର ପଠାଇଛି।

ଏଲଏଚଡିଏସି ଅର୍ଥାତ ଲ୍ୟାଣ୍ଡର ହାଜାର୍ଡ ଡିଟେକସନ ଆଣ୍ଡ ଆଭଏଡାନ୍ସ କ୍ୟାମେରା। ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ଲ୍ୟାଣ୍ଡିଂ ସ୍ଥାନ ଖୋଜିବା ପାଇଁ ଏହି କ୍ୟାମେରା ସହଯୋଗ କରୁଛି। ଏହି ଫଟୋ ଗୁଡିକ ଜରିଆରେ ଲ୍ୟାଣ୍ଡର କେଉଁ ସ୍ଥାନରେ ଓହ୍ଳାଇବ ତାହା ଚିଂହ୍ନଟ କରାଯିବ। ସୁରକ୍ଷିତ ଲ୍ୟାଣ୍ଡିଂ ନେଇ ଜାଗା ଚିହ୍ନଟ କରାଯିବ। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ ଏହି ନୂଆ ଫଟୋ ଗୁଡିକୁ ସେୟାର କରାଯାଇଛି। ଆଜି ଅଗଷ୍ଟ ୨୩ ସନ୍ଧ୍ୟା ୬ଟା ୪ରେ ଚନ୍ଦ୍ରଯାନ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.