Odisha Link
Bridging the Missing Links in Odisha

ଇସ୍ରୋ ଜାରି କଲା ଭିଡିଓ, ସାମ୍ନାକୁ ଆସିଲା ଚନ୍ଦ୍ରପୃଷ୍ଠର ଚିତ୍ର

ଓଏଲ୍‌ ବ୍ୟୁରୋ: ଦେଶର ଗଳିକନ୍ଦିରେ ଉତ୍ସବର ମାହୋଲ। ସବୁଠି ଖୁସି ଆଉ ଖୁସି। କାରଣ ଇତିହାସ ରଚିଛି ଇସ୍ରୋ। ସାରା ବିଶ୍ବ ଦେଖିଲା ଭାରତର ପରାକ୍ରମ। ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ କରିଛି ସଫ୍ଟ ଲ୍ୟାଣ୍ଡିଂ। ଏହି ସଫଳତା ପରେ ଭାରତର ଚନ୍ଦ୍ରଯାତ୍ରା ସ୍ୱପ୍ନ ସାକାର ହୋଇଛି। ଆଉ ବିଶ୍ୱର ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ଭାରତ ପହଞ୍ଚିଛି। ଏହା ପରେ ମିଶନ ଚନ୍ଦ୍ରୟାନ-୩କୁ ନେଇ ଇସ୍ରୋ ଟ୍ୱିଟ୍‌ କରିଛି। ଲ୍ୟାଣ୍ଡରରୁ ରୋଭର ‘ପ୍ରଜ୍ଞାନ’ ଅଲଗା ହେବାର ଭିଡିଓ ଇସ୍ରୋ ଟ୍ୱିଟ କରିଛି।

ସୂଚନା ଅନୁସାରେ, ଚନ୍ଦ୍ର ପୃଷ୍ଠରେ ତଥ୍ୟ ସଂଗ୍ରହ କରିବା ପାଇଁ ରୋଭର ଘୂରି ବୁଲୁଛି। ଚନ୍ଦ୍ରଯାନର ସଫଳତାକୁ ନେଇ ସାରା ଦେଶରେ ଉତ୍ସାହ ଥିବାବେଳେ ବିଶ୍ୱର ଅନେକ ସ୍ଥାନରୁ ଶୁଭେଚ୍ଛାର ସୁଅ ଛୁଟୁଛି। ଏହି ସଫଳତା ପଛରେ ଓଡ଼ିଆଙ୍କ ଅବଦାନ ମଧ୍ୟ କମ୍ ନୁହେଁ। ଚନ୍ଦ୍ରଯାନ-୩ ସଫଳତା ପଛରେ ଓଡ଼ିଆ ବୈଜ୍ଞାନିକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବ୍ରହ୍ମପୁରର କେ. ନାଗରାଜ, ବ୍ରହ୍ମପୁରର ଦେବାଶିଷ ମହାପାତ୍ର, ଢେଙ୍କାନାଳ ଭୂବନର ଡକ୍ଟର ଶରତ ଦାସ ଓ କେନ୍ଦ୍ରାପଡ଼ା ଚନ୍ଦନଗରର ସୁଶୀଲ କୁମାର ନାୟକଙ୍କ ଭୂମିକା ରହିଛି। ସୁଶୀଲ ୧୦ ଜଣିଆ ବୈଜ୍ଞାନିକ ଟିମର ନେତୃତ୍ୱ ନେଇଥିଲେ। ଚନ୍ଦ୍ରଯାନ-୩ ପାଇଁ ଯେଉଁ ପ୍ରକଳ୍ପ ପ୍ରସ୍ତୁତି ହୋଇଥିଲା ତାର ରୂପରେଖ ସୁଶୀଲଙ୍କ ନେତୃତ୍ୱରେ ଏକ ଟିମ୍ କରିଥିଲା। ଏଥିପାଇଁ ୧୧ ମାସ ଆଗରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଯାହା ଚନ୍ଦ୍ରପୃଷ୍ଟରେ ସଫଳତାର ସହ ଅବତରଣ କରିଛି।

Leave A Reply

Your email address will not be published.