ଆଜିଠୁ ଉତ୍କେଲାକୁ ଉଡ଼ିବ ବିମାନ, ଭିସି ମାଧ୍ୟମରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଓଏଲ୍ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରୁ ଉତ୍କେଲାକୁ ଯାତାୟାତ ସହଜ ହେବ। ଆଜିଠୁ ଉତ୍କେଲାକୁ ନିୟମିତ ଉଡ଼ିବ ବିମାନ। ଇଣ୍ଡିଆ ୱାନ ଏୟାରଲାଇନ୍ସ ୯ ସିଟ୍ ବିଶିଷ୍ଟ ବିମାନ ଚଳାଇବ। ପ୍ରାରମ୍ଭିକ ଭାବେ ବିମାନ ଟିକେଟ୍ ଦାମ୍ ୯୯୯ ଟଙ୍କା ସ୍ଥିର ହୋଇଛି। ପ୍ରତିଦିନ ସକାଳ ୭ଟା ୧୫ରେ ଭୁବନେଶ୍ୱର ଛାଡ଼ି ୮ଟା ୨୫ରେ ପହଞ୍ଚିବ। ପୁଣି ୮ଟା ୫୦ରେ ଉତ୍କେଲା ଛାଡ଼ି ୧୦ଟାରେ ଭୁବନେଶ୍ୱର ପହଞ୍ଚିବା ନେଇ ସ୍ଥିର କରାଯାଇଛି।
ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲାର ଉତକେଲା ବିମାନବନ୍ଦରରୁ ଆରମ୍ଭ ହେବ ବିମାନ ଚଳାଚଳ। ପୂର୍ବାହ୍ନ ୧୦ଟା ୩୫ ମିନିଟରେ ଉତକେଲା ବିମାନ ବନ୍ଦରରୁ ପ୍ରଥମ ବିମାନ ଭୁବନେଶ୍ୱରକୁ ଯାତ୍ରା କରିବ। ଏହାକୁ ଭର୍ଚୁଆଲରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭର୍ଚୁଆଲରେ ଉଦଘାଟନ କରିବେ। ସେହିପରି ଭୁବନେଶ୍ୱର ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ପତାକା ଦେଖାଇ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ପ୍ରଥମ ଯାତ୍ରୀ ଭାବରେ ଭୁବନେଶ୍ୱରରୁ ଉତକେଲା ଆସିବେ।