Odisha Link
Bridging the Missing Links in Odisha

ଗ୍ୟାସ ଦର ଆହୁରି କମିବାର ଥିଲା: ବିଜେଡି

ଓଏଲ୍‌ ବ୍ୟୁରୋ: କେନ୍ଦ୍ର ସରକାର ଗ୍ୟାସ ଦର କମାଇଛନ୍ତି। ଆଜିଠୁ ସିଲିଣ୍ଡର ପିଛା ଗ୍ୟାସ ଦର ଦୁଇ ଶହ ଟଙ୍କା କମାଇଛନ୍ତି ସରକାର। ଯାହାକୁ ନେଇ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ଗ୍ୟାସ ଦର ଆହୁରି କମିବାର ଥିଲା। ଅନ୍ୟପଟେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଓଡ଼ିଶାର ମା’ମାନଙ୍କ ସଶକ୍ତିକରଣ ପାଇଁ ରାକ୍ଷୀ ଅବସରରେ ବଡ ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଗ୍ୟାସ ଦର କମିବା ପ୍ରସଙ୍ଗରେ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ଗ୍ୟାସ ଦର ସୀମା ବାହାରେ ଥିଲା । ଲୋକଙ୍କୁ ମାଗଣା ଗ୍ୟାସ ପ୍ରତିଶ୍ରୁତି ଦେଇଥିଲେ ବି ଦର ଦୁର୍ବିସହ ହୋଇଥିଲା। ସାଧାରଣ ଲୋକଙ୍କୁ ଏହା ବହୁତ ବାଧୁଥିଲା। ୨୦୦ ଟଙ୍କା କମାଇଲେ ମଧ୍ୟ ଏହା ସାଧାରଣ ଜୀବନକୁ ପ୍ରଭାବିତ କରିବ ନାହିଁ। ବର୍ତ୍ତମାନ ସ୍ଥିତିରେ ଦରଦାମ ନିୟନ୍ତ୍ରଣ କରିବା ନିହାତି ଆବଶ୍ୟକ। ରାକ୍ଷୀ ପୂର୍ବ ଦିନ ଯେତେବେଳେ ନିଷ୍ପତ୍ତି ହୋଇଛି ତାକୁ କେନ୍ଦ୍ର ସରକାର ରକ୍ଷା ବନ୍ଧନ ଉପହାର କହିପାରନ୍ତି। କିନ୍ତୁ ମହିଳାଙ୍କୁ ଯେମିତି ନ ବାଧିବ ସେମିତି ଦରଦାମକୁ ନିୟନ୍ତ୍ରଣ କରାଯିବା ଦରକାର।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଓଡ଼ିଶାର ମା’ମାନଙ୍କ ସଶକ୍ତିକରଣ ପାଇଁ ରାକ୍ଷୀ ଅବସରରେ ବଡ ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏବେ ବର୍ଷକୁ ୧୨ଟି ସିଲିଣ୍ଡର କମ୍ ଦରରେ ମିଳିବ। ଭାରତରେ ୭୫ ଲକ୍ଷ ନୂଆ ଉଜ୍ଜ୍ୱଳା ସଂଯୋଗ ଦିଆଯିବ। ୨୦୧୪ରେ ଓଡ଼ିଶାରେ ୧ କୋଟି ଘରୁ ୨୨ ପ୍ରତିଶତ ଘରେ ଗ୍ୟାସ ସଂଯୋଗ ଥିଲା। ଉଜ୍ଜ୍ୱଳା ଯୋଜନା ଲାଗୁ ହେବା ପରେ ୫୩ ଲକ୍ଷ ହିତାଧିକାରୀ ବଢିଥିଲେ।

୯୬ ଲକ୍ଷ ଘରେ ଗ୍ୟାସ ସଂଯୋଗ ପହଞ୍ଚି ପାରିଥିଲା। ୫ ଲକ୍ଷ ନୂଆ ସଂଯୋଗ ଓଡ଼ିଶାରେ ଲାଗିବ। ଏବେ ୧କୋଟି ଘରେ ଗ୍ୟାସ ପହଞ୍ଚିଛି। ୨୦୧୪ରେ ଓଡ଼ିଶାର ୧୪ ଲକ୍ଷ ଭଉଣୀ ମାନଙ୍କୁ କମ୍ ସୁଧରେ ୩୮୬.୩୭ କୋଟିର ଋଣ ମିଳିଥିଲା। ଯାହାର ବଡ ସୁଧ ଭାରତ ସରକାର ଦେଇଥିଲେ। ଆଜି ସେ ସଂଖ୍ୟା ୧୪ ଲକ୍ଷରୁ ୪୦ ଲକ୍ଷକୁ ବଢ଼ିଗଲାଣି । ଏବେ ଓଡ଼ିଶାର ମହିଳା ମାନଙ୍କୁ ୨୫ ହାଜର କୋଟି ଋଣ ଦେଉଛନ୍ତି କେନ୍ଦ୍ର ସରକାର ବୋଲି କହିଛନ୍ତି ଶ୍ରୀ ପଧାନ।

Leave A Reply

Your email address will not be published.