ମିଶନ ଆଦିତ୍ୟ ଏଲ୍-୧: ସୂର୍ଯ୍ୟକୁ ନେଇ ଦେବ ଅଜଣା ତଥ୍ୟ!
ଓଏଲ୍ ବ୍ୟୁରୋ: ଅପେକ୍ଷାର ଅନ୍ତ ଘଟାଇ ଲଞ୍ଚ ହେଲା ଆଦିତ୍ୟ-ଏଲ-୧। ଇସ୍ରୋର ମିଶନ୍ ସନ୍ ବା ସୂର୍ଯ୍ୟ ଯାତ୍ରା ଆରମ୍ଭ ହୋଇଯାଇଛି। ଆଦିତ୍ୟ ଏଲ-୧କୁ ଆଜି ଦିନ ୧୧ଟା ୫୦ ମିନିଟରେ ଶ୍ରୀହରିକୋଟା ଲଞ୍ଚପ୍ୟାଡରୁ PSLV-XL ରକେଟ ମାଧ୍ୟମରେ ଉତକ୍ଷେପଣ କରାଯାଇଛି। ମହାକାଶରେ ରହି ଆଦିତ୍ୟ ଏଲ୍-୧ ସୂର୍ଯ୍ୟ ଉପରେ ତଥ୍ୟ ଯୋଗାଇବ। ତେବେ ଏନେଇ ଟ୍ୱିଟ ଯୋଗେ ଇସ୍ରୋ ପକ୍ଷରୁ ସୂଚନା ଦେଇଛନ୍ତି।
ସଫଳ ଚନ୍ଦ୍ରଯାତ୍ରା ପରେ ସୂର୍ଯ୍ୟ ଅଭିଯାନ ଆରମ୍ଭ କରିଛି ଭାରତ। ଚନ୍ଦ୍ର ପରେ ଏବେ ସୂର୍ଯ୍ୟମୁହାଁ ଇସ୍ରୋ। ଇସ୍ରୋର ସବୁଠାରୁ ଭରସାଯୋଗ୍ୟ ରକେଟ୍ ପିଏସଏଲଭି-ସି-୫୭ କୁ ପୃଥିବୀର ନିମ୍ନ କକ୍ଷପଥରେ ଉତକ୍ଷେପଣ କରିଛି। ଏହା ପରେ ତିନି କିମ୍ବା ଚାରିଟି କକ୍ଷପଥକୁ ସିଧାସଳଖ ସ୍ଫେୟାର ଅଫ୍ ଇନଫ୍ଲୁଏନ୍ସରୁ ବାହାରକୁ ଅଣାଯିବ। ଆଦିତ୍ୟ ଏଲ-ୱାନକୁ ନେଇ ମହାକାଶକୁ ଗଲା ପିଏସଏଲଭି-ଏକ୍ସଏଲ ରକେଟ୍।
ସୂର୍ଯ୍ୟଯାନ ଉତକ୍ଷେପଣର ୧୨୭ ଦିନ ଯାତ୍ରା କରିବା ପରେ ୧୫ ଲକ୍ଷ କିଲୋମିଟର ଲେଙ୍ଗରେଜିୟନ ପଏଣ୍ଟରେ ପହଞ୍ଚିବ। ଆଦିତ୍ୟଏଲ-୧ ମହାକାଶ ଯାନକୁ ଇସ୍ରୋ ପୃଥିବୀ ଠାରୁ ୧ ଦଶମିକ ୫ ନିୟୁତ କିମି ଉଚ୍ଚରେ ହାଲୋ ଅରବିଟରରେ ସ୍ଥାପନ କରିବ। ଯାହା ଇସ୍ରୋ ପାଇଁ ଏକ ଜଟିଳ କାର୍ଯ୍ୟ। କାରଣ ହାଲୋ ଅରବିଟରରେ ପୃଥିବୀର ଆକର୍ଷଣ ଶକ୍ତି ଶେଷ ହେଉଛି ଓ ସୂର୍ଯ୍ୟର ଆକର୍ଷଣ ଶକ୍ତି ଆରମ୍ଭ ହେଉଛି।
ଏଠାରେ କୌଣସି ଛୋଟ ବସ୍ତକୁ ଦୀର୍ଘ ସମୟ ରଖାଯାଇପାରିବ। ତେବେ ସୌର ଯାନର ଗତିକୁ ନିୟନ୍ତ୍ରଣ କରାନଗଲେ ତାହା ସିଧା ସୂର୍ଯ୍ୟ ଅଭିମୁଖେ ଚାଲିଯିବାର ଆଶଙ୍କା ରହିଛି। ହାଲୋ ଅରବିଟରରେ ସୂର୍ଯ୍ୟ ଯାନକୁ ସ୍ଥାପନ କରି ଭାରତ ସୂର୍ଯ୍ୟ ଉପରେ ଅନୁଧ୍ୟାନ କରି ତଥ୍ୟ ହାସଲ କରିବ। ଆଦିତ୍ୟ ଏଲ-୧ରେ ମୋଟ ୭ଟି ପେଲେଡ ରହିଛି। ଏହି ସୌରଯାନ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଥିବା ବେଳେ ଏହା ଉପରେ ସାରା ବିଶ୍ୱର ନଜର ରହିଛି।