ଆଗକୁ ଲୋକସଭା ନିର୍ବାଚନ: କର୍ଣ୍ଣାଟକ ରାଜନୀତିରେ ନୂଆ ମୋଡ଼
ଓଏଲ୍ ବ୍ୟୁରୋ: ପାଖେଇ ଆସୁଛି ଲୋକସଭା ନିର୍ବାଚନ। ଆଗାମୀ ଲୋକସଭା ନିର୍ବାଚନକୁ ନେଇ ଉଭୟ ଏନଡିଏ ଓ ଇଣ୍ଡିଆ ମେଣ୍ଟ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଥିବାବେଳେ ଏକ ବଡ଼ ଖବର ସାମ୍ନାକୁ ଆସିଛି। କିଛିଦିନ ତଳେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ବେଳେ ପରସ୍ପର ବିରୋଧରେ ନିର୍ବାଚନ ଲଢିଥିବା ବିଜେପି ଓ ଜେଡିଏସ୍ କିନ୍ତୁ ଆଗାମୀ ଲୋକସଭା ନିର୍ବାଚନ ମିଳିତ ଭାବେ ଲଢିବେ ବୋଲି ଜଣାପଡିଛି। ଏହି କ୍ରମରେ କର୍ଣ୍ଣାଟକ ରାଜନୀତିରେ ଏକ ନୂଆ ମୋଡ ଦେଖିବାକୁ ମିଳିଛି।
ଇଣ୍ଡିଆ ମେଣ୍ଟ ଗଠନ ପରେ ବିଜେପି ବି ତାର ପୂର୍ବ ସହଯୋଗୀଦଳମାନଙ୍କୁ କିଭଳି ଏକାଠି କରିବ ତାହା ଉପରେ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି। ବିଏସ୍ ୟେଦ୍ଦୁରପ୍ପ କହିଛନ୍ତି କି, ଜେଡିଏସ୍ ମୁଖ୍ୟ ଓ ବିଜେପି ନେତା ଅମିତ ଶାହାଙ୍କ ସହ ମିଳିତ ନିର୍ବାଚନ ଲଢିବା ନେଇ ନିଷ୍ପତ୍ତି ହୋଇଛି। ଏହାସହ ଆସନ ବୁଝାମଣା ନେଇ ମଧ୍ୟ ସହମତି ହୋଇଥିବା କଥା କହିଛନ୍ତି ୟେଦ୍ଦୁରପ୍ପା। ସେ କହିଛନ୍ତି କି, କର୍ଣ୍ଣାଟକରେ ବିଜେପି ଜେଡିଏସକୁ ୪ଟି ଆସନ ଛାଡିବ ବୋଲି ନିଷ୍ପତ୍ତି ହୋଇଛି। ସେପେଟ ୟେଦ୍ଦୁରପ୍ପାଙ୍କର ଏଭଳି ବୟାନ ଉପରେ ଜେଡିଏସ୍ ତରଫରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ।