ଓଡ଼ିଶା ବିଧାନସଭା: ପ୍ରଥମ ମହିଳା ବାଚସ୍ପତି ହେଲେ ପ୍ରମିଳା ମଲ୍ଲିକ
ଓଏଲ୍ ବ୍ୟୁରୋ: ଆରମ୍ଭ ହେଲା ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ। ଆଉ ଏଥିସହିତ ସମ୍ପନ୍ନ ହୋଇଛି ବାଚସ୍ପତି ନିର୍ବାଚନ। ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ଭାବେ ଶପଥ ନେଇଛନ୍ତି ପ୍ରମିଳା ମଲ୍ଳିକ। ଆଉ ଚଳିତ ବିଧାନସଭାରେ ତୃତୀୟ ବାଚସ୍ପତି ଭାବେ ପ୍ରମିଳା ମଲ୍ଲିକ ଦାୟିତ୍ବ ଗ୍ରହଣ କରିଛନ୍ତି।
ବିକ୍ରମ କେଶରୀ ଆରୁଖଙ୍କୁ ମନ୍ତ୍ରୀ କରାଯିବା ପରେ ଦୀର୍ଘ ଦିନ ଧରି ଖାଲି ପଡ଼ିଥିଲା ବିଧାନସଭାର ବାଚସ୍ପତି ପଦ। ବିଜେଡି ଉପସଭାନେତ୍ରୀ ଶ୍ରୀମତୀ ମଲ୍ଲିକ ଆଜି ବାଚସ୍ପତି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଗତ ଜୁନ୍ ୩ ତାରିଖରେ ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେବା ପରଠୁ ବାଚସ୍ପତି ପଦ ଖାଲି ପଡ଼ିଥିଲା।
ପୂର୍ବାହ୍ନରେ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ସହ ବାଚସ୍ପତି ନିର୍ବାଚନ ସମ୍ପନ୍ନ ହୋଇଛି।୨୦୦୦ ମସିହାରୁ କ୍ରମାଗତ ବିଧାନସଭାକୁ ନିର୍ବାଚିତ ହୋଇ ଆସୁଥିବା ଶ୍ରୀମତୀ ମଲ୍ଲିକ ପ୍ରଥମ ଥର ପାଇଁ ୧୯୯୦ ମସିହାରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୦, ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ ବିଞ୍ଝାରପୁର ଆସନରୁ ହୋଇଛନ୍ତି ବିଧାୟିକା। ୧୯୯୦ରେ ପ୍ରଥମେ ଜନତା ଦଳରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ ପ୍ରମିଳା। ୨୦୦୦ ମସିହାରୁ କ୍ରମାଗତ ଭାବେ ସେ ବିଜେଡିରୁ ବିଧାୟିକା ଭାବେ ଜିତିଛନ୍ତି ।
୧୯୬୩ ମସିହାରେ ଜନ୍ମିତ ଶ୍ରୀମତୀ ମଲ୍ଲିକ ବିଜେଡିର ବହୁ ପଦପଦବୀ ସହ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀ ଦାୟିତ୍ୱ ତୁଲାଇ ସାରିଛନ୍ତି। ସେ ଏବେ ବିଜେଡିର ଉପସଭାପତି ଓ ରାଜ୍ୟର ରାଜସ୍ୱ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ଯାଜପୁର ଜିଲ୍ଲାର ଏହି ୬୦ବର୍ଷ ବୟସ୍କା ନେତ୍ରୀଙ୍କୁ ଚଳିତ ଷୋଡ଼ଶ ବିଧାନସଭାରେ ସରକାରୀ ମୁଖ୍ୟ ସଚେତକ ଭାବେ ପ୍ରାୟ ୩ବର୍ଷ ଧରି କାର୍ଯ୍ୟ କରିବାର ସୁଯୋଗ ମିଳିଥିଲା। ସେ ୨୦୨୨ ଜୁନ୍ ମାସରେ ସରକାରୀ ମୁଖ୍ୟ ସଚେତକ ପଦରୁ ଇସ୍ତଫା ଦେଇଥିଲେ ଓ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ସାମିଲ କରିଥିଲେ।
ସାଧାରଣ ନିର୍ବାଚନକୁ ଆଉ ମାତ୍ର ୬ମାସ ଥିବାବେଳେ ଶ୍ରୀମତୀ ମଲ୍ଲିକଙ୍କ ଉପରେ ଦଳ ଭରସା କରିଛି। ନିର୍ବାଚନ ପୂର୍ବରୁ ବିଜେପି ମହିଳା କାର୍ଡ ଖେଳିଥିବାରୁ ବିଜେଡି ଏବେ ନିଜର ଜଣେ ବରିଷ୍ଠ ନେତ୍ରୀଙ୍କୁ ବାଚସ୍ପତି ପଦରେ ଆସୀନ କରି ମହିଳା କାର୍ଡ ଖେଳିବାକୁ ପ୍ରୟାସ କରିଛି। ସେ ଷଷ୍ଠ ଥର ପାଇଁ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିବାବେଳେ ଓଡ଼ିଶା ବିଧାନସଭା ଇତିହାସରେ ପ୍ରଥମ ମହିଳା ବାଚସ୍ପତି ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି।