Odisha Link
Bridging the Missing Links in Odisha

ବିଧାନସଭା: ୨୮,୨୦୦ କୋଟିର ଅତିରିକ୍ତ ବଜେଟ

ଓଏଲ୍‌ ବ୍ୟୁରୋ: ବିଧାନସଭାର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଉପସ୍ଥାପତି ହେଲା ୨୦୨୩-୨୪ ବର୍ଷ ପାଇଁ ଅତିରିକ୍ତ ବଜେଟ। ସର୍ବମୋଟ ୨୮ ହଜାର ୨୦୦ କୋଟିର ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି ସରକାର। ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ଅତିରିକ୍ତ ବଜେଟ ଆଗତ କରିଥିଲେ।

୨୦୨୩-୨୪ ଆର୍ଥିକ ବର୍ଷର ମୂଳ ବଜେଟ ୨.୩୦ଲକ୍ଷ କୋଟି ଟଙ୍କା ଥିବାବେଳେ ଏହାର ପ୍ରାୟ ୧୨.୨୬ ପ୍ରତିଶତ ଅର୍ଥାତ୍ ୨୮୨୦୦କୋଟି ଟଙ୍କା ଅତିରିକ୍ତ ବଜେଟରେ ବ୍ୟବସ୍ଥା ହୋଇଛି। ଏହାସହିତ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍ ଆକାର ୨ଲକ୍ଷ ୫୮ହଜାର ୨୦୦କୋଟି ଟଙ୍କାକୁ ବୃଦ୍ଧି ପାଇଛି।ଅତିରିକ୍ତ ବଜେଟରେ ପଞ୍ଚାୟତିରାଜ ବିଭାଗ ପାଇଁ ସର୍ବାଧିକ ୪୦୮୩କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ଚଳିତ ଆର୍ଥିକ ବଜେଟରେ ୨୮୬୪କୋଟି ଟଙ୍କା ପ୍ରଶାସନିକ ଖର୍ଚ୍ଚ,୨୦୧୦୦କୋଟି ଟଙ୍କା କାର୍ଯ୍ୟକ୍ରମ ଖର୍ଚ୍ଚବାବଦରେ ଆବଣ୍ଟିତ ହୋଇଥିବାବେଳେ ୪୬୬୪କୋଟି ଟଙ୍କା ବିପର୍ଯ୍ୟୟ ପରିଚାଳନା ପାଣ୍ଠି ଓ ୫୭୨କୋଟି ଟଙ୍କା ରାଜ୍ୟ ସରକାରଙ୍କ ଦ୍ୱାରା ପଞ୍ଚାୟତ ଓ ପୌର ସଂସ୍ଥାକୁ ହସ୍ତାନ୍ତର ବାବଦରେ ଆବଣ୍ଟିତ ହୋଇଛି।

ସେହିପରି ଅତିରିକ୍ତ ବଜେଟରେ ସର୍ବାଧିକ ୪୦୮୩କୋଟି ଟଙ୍କା ପଂଚାୟତିରାଜ ବିଭାଗ ପାଇଁ ବ୍ୟୟବରାଦ ହୋଇଥିବାବେଳେ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ୨୮୮୨କୋଟି ଟଙ୍କା, ଜଳସମ୍ପଦ ବିଭାଗକୁ ୨୪୦୭କୋଟି ଟଙ୍କା, ଅନୁସୂଚିତ ଜାତି ଓ ଜନଜାତି ବିଭାଗକୁ ୧୩୫୫କୋଟି ଟଙ୍କା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ୧୩୨୭କୋଟି, ଓ ନଗର ଉନ୍ନୟନ ବିଭାଗ ପାଇଁ ୧୦୮୮କୋଟି ଟଙ୍କା, ଉଚ୍ଚଶିକ୍ଷା ପାଇଁ ୮୪୨କୋଟି, ଗ୍ରାମ୍ୟ ଉନ୍ନୟନ ୮୯୭କୋଟି ଟଙ୍କା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପାଇଁ ୭୮୭କୋଟି ଟଙ୍କା, ପରିବହନ ବିଭାଗ ୭୪୮ କୋଟି, ଓ ମିଶନ ଶକ୍ତି ବିଭାଗ ପାଇଁ ୭୮୩କୋଟି ଟଙ୍କାର ବ୍ୟୟବରାଦ ଲକ୍ଷ୍ୟ ରଖାଯାଇଛି ।

Leave A Reply

Your email address will not be published.