Odisha Link
Bridging the Missing Links in Odisha

ମହିଳା ସଂରକ୍ଷଣ ନୀତି ଲାଗୁ କରିପାରେ ବିଜେଡି

ଯଦି ବିଜୁ ଜନତା ଦଳ ୩୩% ସଂରକ୍ଷଣ ଲାଗୁ କରେ ତେବେ ଅତି କମରେ ୪୯ ଜଣ ମହିଳା ପ୍ରାର୍ଥୀ ହେବାର ସୁଯୋଗ ପାଇବେ। ଏପରି ହେଲେ ବର୍ତମାନ କ୍ଷମତାରେ ଥିବା ପ୍ରାୟ ୪୦ ଜଣ ବିଧାୟକ ନିଜର ଆସନ ହରାଇବାର ସମ୍ଭାବନା ଅଛି।

ଭୁବନେଶ୍ବର: ୨୭ ବର୍ଷର ଅପେକ୍ଷା ପରେ ଦେଶରେ ମହିଳା ସଂରକ୍ଷଣ ବିଲ୍‌ ଆଇନରେ ପରିଣତ ହେବାକୁ ଯାଉଛି। ମାତ୍ର ଦୁଇଦିନରେ ସଂସଦର ଉଭୟ ଗୃହରେ ଏହି ବିଲ୍ ପାରିତ ହେବା ସହ ସଂସଦ ଓ ବିଧାନସଭାରେ ଅତି କମରେ ୩୩ ପ୍ରତିଶତ ଆସନରେ ମହିଳା ପ୍ରତିନିଧି ବସିବା ଲାଗି ବାଟ ଫିଟିଛି।

ତେବେ ଏହି ବିଲ୍‌ ବାବଦରେ ସଂସଦରେ ଆଲୋଚନା ହେବାର ବହୁ ପୂର୍ବରୁ ଓଡ଼ିଶା ଏ କ୍ଷେତ୍ରରେ ଏକାଧିକ ଉଦାହରଣୀୟ ପଦକ୍ଷେପ ନେଇଛି। ବିଜୁ ଜନତା ଦଳ ପୂର୍ବରୁ ୨୦୧୯ ସାଧାରଣ ନିର୍ବାଚନ ବେଳେ ୩୩% ଆସନରେ ମହିଳା ପ୍ରାର୍ଥୀ ଦେଇ ଉଦାହରଣ ସୃଷ୍ଟି କରିଥିଲା। ନିକଟରେ ପାରିତ ମହିଳା ସଂରକ୍ଷଣ ବିଲ୍‌କୁ ମଧ୍ୟ ଅନ୍ୟ ରାଜ୍ୟଠାରୁ ଆଗୁଆ ଓଡ଼ିଶା ବିଧାନ ସଭୋର ଲାଗୁ କରି ବିଜୁ ଜନତା ଦଳ ଅନୁକରଣୀୟ ପଦକ୍ଷେପ ନେଇପାରେ ବୋଲି ସମ୍ଭାବନା ଦେଖାଦେଇଛି।

ବିଜୁ ଜନତା ଦଳ ଗଢ଼ାହେବା ପୂର୍ବରୁ ଏ ଦଳର ଆଦର୍ଶ ଭାବେ ପରିଚିତ ବିଜୁ ପଟ୍ଟନାୟକ ପ୍ରଥମେ ମହିଳାଙ୍କ ପାଇଁ ଆସନ ସଂରକ୍ଷଣ ନେଇ ଚିନ୍ତା କରିଥିଲେ। ଜନତା ଦଳରେ ଥାଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ୧୯୯୧ ମସିହାରେ ସେ ପଞ୍ଚାୟତି ରାଜ ବ୍ୟବସ୍ଥାରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ବା ୩୩% ଆସନ ସଂରକ୍ଷିତ କରିଥିଲେ। ଏହି ପରମ୍ପରାକୁ ପରେ ଆହୁରି ଆଗକୁ ନେଲେ ତାଙ୍କ ପୁତ୍ର ତଥା ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ। ୨୦୧୧ ମସିହାରେ ପଞ୍ଚାୟତି ରାଜ ବ୍ୟବସ୍ଥାରେ ମହିଳାଙ୍କ ପାଇଁ ୫୦% ଆସନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରବର୍ଷ ପୌର ନିର୍ବାଚନ ପାଇଁ ମଧ୍ୟ ମହିଳାଙ୍କ ଲାଗି ୫୦% ଆସନ ସଂରକ୍ଷିତ କଲେ ନବୀନ ପଟ୍ଟନାୟକ।

ନବ ଦାସ ହତ୍ୟା ମାମଲା: ଖାରଜ ହେଲା ଅଭିଯୁକ୍ତ ଗୋପାଳର ଡିସ୍‌ଚାର୍ଜ ପିଟିସନ 

ବିଧାନସଭା ଓ ସଂସଦରେ ମହିଳାଙ୍କ ପାଇଁ ୩୩% ଆସନ ସଂରକ୍ଷଣ କରିବାକୁ କେନ୍ଦ୍ର ପାଖରେ ୨୦୧୮ରେ ଦାବି କରିଥିଲେ ନବୀନ ପଟ୍ଟନାୟକ। ସେ ଏ ନେଇ ଓଡ଼ିଶା ବିଧାନସଭାରେ ଏକ ସଂକଳ୍ପ ନିଆ ଯାଇଥିଲା। ସେହିବର୍ଷ ଡିସେମ୍ବରରେ ମହିଳାଙ୍କ ପାଇଁ ୩୩% ଆସନ ଦାବି କରି ନବୀନ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ନବୀନ ନିଜର ସଂକଳ୍ପକୁ ଆଂଶିକ ପ୍ରୟୋଗ କରି ଦେଖାଇଲେ। ପ୍ରଥମଥର ପାଇଁ ବିଜୁ ଜନତା ଦଳ ଲୋକସଭା ନିର୍ବାଚନରେ ୩୩% ଆସନରେ ମହିଳା ପ୍ରାର୍ଥୀ ଦେଇଥିଲା। ତେବେ ସେଥର ବିଧାନସଭା ନିର୍ବାଚନରେ ଏହା ଲାଗୁ କରିନଥିଲା ବିଜେଡି।

୨୦୧୮ରେ ଉଭୟ ବିଧାନସଭା ଓ ସଂସଦରେ ମହିଳାଙ୍କ ପାଇଁ ୩୩% ଆସନ ଦାବି କରୁଥିବା ନବୀନ ୨୦୨୪ ସାଧାରଣ ନିର୍ବାଚନରେ ଏହା କରି ଦେଖାଇବାର ସମ୍ଭାବନା ଦେଖାଦେଇଛି। ସଂସଦର ଉଭୟ ଗୃହରେ ମହିଳା ସଂରକ୍ଷଣ ବିଲ୍‌ ପାରିତ ହୋଇଥିଲେ ହେଁ ଏହା ଲାଗୁ ହେଉହେଉ ଅତି କମରେ ୨୦୨୯ ହୋଇଯିବାର ସମ୍ଭାବନା ଅଛି। ଏଭଳି କ୍ଷେତ୍ରରେ ୫ ବର୍ଷ ଆଗରୁ ବିଧାନସଭାରେ ଏ ସଂରକ୍ଷଣ ନୀତି ଲାଗୁ କରି ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଦେଶରେ ପୁଣି ଏକ ଉଦାହରଣ ସୃଷ୍ଟି କରିପାରନ୍ତି।

ଯଦି ବିଜେଡି ବିଧାନସଭା ପାଇଁ ୩୩% ଆସନ ମହିଳାଙ୍କୁ ଦେବାକୁ ସ୍ଥିରକରେ ତେବେ ବର୍ତମାନ କ୍ଷମତାରେ ଥିବା ଓ କ୍ଷମତାକୁ ଆସିବାକୁ ଆଶା କରି ବସିଥିବା ବହୁ ନେତା ୨୦୨୪ରେ ବିଧାନସଭା ଟିକେଟ୍‌ ହରାଇବାର ସମ୍ଭାବନା ରହିଛି। ୧୪୭ ଆସନ ବିଶିଷ୍ଟ ଓଡ଼ିଶା ବିଧାନସଭାରେ ଏବେ ବିଜେଡିର ମାତ୍ର ୧୭ ଜଣ ମହିଳା ପ୍ରତିନିଧିତ୍ବ କରୁଛନ୍ତି। ଏହା ମୋଟ ଆସନର ୧୨%ରୁ କମ୍। ଯଦି ବିଜୁ ଜନତା ଦଳ ୩୩% ସଂରକ୍ଷଣ ଲାଗୁ କରେ ତେବେ ଅତି କମରେ ୪୯ ଜଣ ମହିଳା ପ୍ରାର୍ଥୀ ହେବାର ସୁଯୋଗ ପାଇବେ। ଏପରି ହେଲେ ବର୍ତମାନ କ୍ଷମତାରେ ଥିବା ପ୍ରାୟ ୪୦ ଜଣ ବିଧାୟକ ନିଜର ଆସନ ହରାଇବାର ସମ୍ଭାବନା ଅଛି। ଏପରି ହେଲେ ସେମାନଙ୍କ ସ୍ଥାନରେ ନବାଗତା ନେତ୍ରୀ ବିଧାନସଭାକୁ ଯିବାର ବାଟ ଫିଟିବ।

ମେଧାବୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରୋତ୍ସାହନ, ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ସଚିବ

Leave A Reply

Your email address will not be published.