Odisha Link
Bridging the Missing Links in Odisha

ଓଡ଼ିଶା ରାଜନୀତି: ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ?

୨୦୧୯ ନିର୍ବାଚନରେ ଦୂରେଇ ରହିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୦୨୪ ନିର୍ବାଚନ ମୈଦାନକୁ ଓହ୍ଲାଇବେ।

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନକୁ ଆଉ ୬ ମାସ ବାକିଥିବା ବେଳେ ଏବେଠୁ ଓଡ଼ିଶା ରାଜନୈତିକ ପାଣିପାଗ ଉଷ୍ମ ହେବାରେ ଲାଗିଛି। ବିଧାନସଭା ନିର୍ବାଚନକୁ ନଜରରେ ରଖି ସମସ୍ତ ଛାମୁଆ ଦଳ ଆରମ୍ଭ କରି ସାରିଲେଣି ଅଙ୍କକଷା। ବର୍ତ୍ତମାନର ଶାସକ ଦଳ ବିଜୁ ଜନତା ଦଳ ପୁଣିଥରେ ଶାସନ ଗାଦିରେ ବସିବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଚେହେରାକୁ ନେଇ ନିର୍ବାଚନ ଲଢ଼ିବାକୁ ଯାଉଛି। ହେଲେ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସର ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ କରୁଥିବା ଜଣାପଡ଼ିଛି। ସବୁଠୁ ବଡ଼କଥା ହେଲା ଓଡ଼ିଶା ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ତଥା ପୋଷ୍ଟର ବୟ ଧର୍ମେନ୍ଦ୍ର ପ୍ରଧାନ ନିକଟରେ ଏଭଳି କିଛି ବୟାନ ରଖିଛନ୍ତି ଯାହାକୁ ନେଇ ଓଡ଼ିଶା ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି।

୨୦୧୯ ନିର୍ବାଚନରେ ଦୂରେଇ ରହିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୦୨୪ ନିର୍ବାଚନ ମୈଦାନକୁ ଓହ୍ଲାଇବେ। ୨୦୨୪ ଲୋକସଭା ନିର୍ବାଚନ ଲଢ଼ିବାକୁ ଆଗ୍ରହପ୍ରକାଶ କରିଛନ୍ତି ଧର୍ମେନ୍ଦ୍ର। ଖାସ୍ କରି ଓଡ଼ିଶାରୁ ଲୋକସଭା ଆସନରେ ନିର୍ବାଚନ ଲଢ଼ିବାକୁ ବିଜେପି କେନ୍ଦ୍ରୀୟ ଟିମକୁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର। ପିଟିଆଇକୁ ସାକ୍ଷାତକାର ଦେଇଥିବା ସମୟରେ ଏଭଳି କିଛି କହିଛନ୍ତି ଶ୍ରୀ ପ୍ରଧାନ। କିନ୍ତୁ ଏପର୍ଯ୍ୟନ୍ତ ଆଲୋଚନା ହେଇ ଆସୁଥିଲା ଯେ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ଧର୍ମେନ୍ଦ୍ର ପ୍ରଧାନ ବୋଲି ତେବେ ନିଜେ ସେ ଲୋକସଭା ଲଢ଼ିବାକୁ ଇଚ୍ଛା ପ୍ରକାଶ କରିସାରିଥିବା ବେଳେ ତେବେ କିଏ ହେବ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି।

ନିର୍ବାଚନ ପାଖେଇ ଆସୁଥିବା ବେଳେ ଓଡ଼ିଶା ବିଜେପି ସରକାର ଗଢ଼ିବା ପାଇଁ ଆରମ୍ଭ କରିସାରିଲାଣି ପ୍ରସ୍ତୁତି। ବିଜେପିର ପୋଷ୍ଟର ବୟ ଧର୍ମେନ୍ଦ୍ର ପ୍ରଧାନଙ୍କ ବିବୃତି ପରେ ଏବେ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଯଦି ଓଡ଼ିଶାରେ ସରକାର ଗଠନ କରିବା ସ୍ଥିତିରେ ବିଜେପି ଆସନ ପାଏ ତେବେ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଆଗରେ ରହିଛନ୍ତି। ତାଙ୍କ ପରେ ଅପରାଜିତା ଷଡ଼ଙ୍ଗୀ, ବୈଜୟନ୍ତ ପଣ୍ଡା, ସମ୍ବିତ ପାତ୍ର, ଜୟ ନାରାୟଣ ମିଶ୍ରଙ୍କ ନାମକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି।

Leave A Reply

Your email address will not be published.