Odisha Link
Bridging the Missing Links in Odisha

୧୦ ବର୍ଷ ଭିତରେ ୮ଟି ସେମି ଏବଂ ଫାଇନାଲ ହାରିଛି ଭାରତ

ଓଏଲ୍‌ ବ୍ୟୁରୋ: ୨୦୧୯, ଜୁଲାଇ ୧୦ ତାରିଖ। ଇଂଲଣ୍ଡର ମଞ୍ଚେଷ୍ଟର ସହରର ଓଲ୍ଡ ଟ୍ରେଫର୍ଡ ଗ୍ରାଉଣ୍ଡ।ମହେନ୍ଦ ସିଂ ଧୋନି ମାତ୍ର ୨ ଇଞ୍ଚର ଦୂରରୁ ରନ୍‌ ଆଉଟ୍‌ ହୋଇଗଲେ। ଏଥିସହିତ ଭାରତର ବିଶ୍ବକପ୍‌ ଜିତିବା ସ୍ବପ୍ନ ଭାଙ୍ଗିଗଲା।ଭାରତ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ନିକଟରୁ ୧୮ ରନ୍‌ରେ ପରାସ୍ତ ହୋଇ ବିଶ୍ବକପ୍‌ରୁ ବିଦା ହୋଇଥିଲା।

୨୦୧୩ ଚମ୍ପିଆନ୍ସ ଟ୍ରଫି ଜିତିବା ପରେ ଭାରତ ୫ମ ଥର ପାଇଁ କୌଣସି ଆଇସିସି ଇଭେଣ୍ଟର ସେମିଫାଇନାଲ କିମ୍ବା ଫାଇନାଲ ମୁକାବିଲାରେ ହାରିଥିଲା। ବିଗତ ୧୦ ବର୍ଷ ମଧ୍ୟରେ ୯ଟି ଆଇସିସି ଆୟୋଜିତ କରୁଥିବା ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଟିମ୍‌ ନକ୍‌ଆଉଟ୍‌ ମ୍ୟାଚରେ ୮ଥର ହାରି ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଛି।

ଆପଣଙ୍କୁ ଆମେ ଏହି ସୂଚନା ଏଥିପାଇଁ ପ୍ରଥମେ ଦେଲୁ କାରଣ ଆସନ୍ତାକାଲି ଭାରତ ଦିନିକିଆ ବିଶ୍ବକପ୍‌ ୨୦୨୩ର ପ୍ରଥମ ସେମିଫାଇନାଲ ମୁକାବିଲା ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ। ତେବେ ଏଠି ପ୍ରଶ୍ନ ଉଠୁଛି ଭାରତୀୟ ଟିମ୍‌ ଭାରତର ନକ୍‌ଆଉଟ୍‌ ମୁକାବିଲାରେ ଥିବା ରେକର୍ଡକୁ ଭାଙ୍ଗିବ ନା ମ୍ୟାଚ୍‌ ହାରି ବିଶ୍ବକପ୍‌ ସ୍ବପ୍ନକୁ ଅଧୁରା ରଖିବ।

ଲିଗ୍‌ ମ୍ୟାଚରେ ଭାରତ ହିରୋ:

ବିଗତ ୧୦ ବର୍ଷ ମଧ୍ୟରେ ଭାରତୀୟ କ୍ରିକେଟ ଦଳ ଆଇସିସି ଟୁର୍ଣ୍ଣାମେଣ୍ଟର ଲିଗ୍‌ ମ୍ୟାଚରେ ଶାନଦାର ଖେଳ ପ୍ରଦର୍ଶନ କରିଛି। କିନ୍ତୁ ସେମିଫାଇନାଲ କିମ୍ବା ଫାଇନାଲ ମ୍ୟାଚରେ ବଡ଼ ବ୍ୟବଧାନରେ ହାରିଛି ଭାରତ। ନ୍ୟୁଜିଲାଣ୍ଡ ବିପକ୍ଷ ୨୦୧୯ ବିଶ୍ବକପ୍‌ ସେମିଫାଇନାଲକୁ ଛାଡ଼ି ଦେଲେ ବାକି ୭ଟି ମ୍ୟାଚରେ ଭାରତୀୟ ଟିମ୍‌ ପ୍ରଥମେ ବ୍ୟାଟିଂ କରି ୬ ଓ୍ବିକେଟରେ ଓ ଦ୍ବିତୀୟ ଇନିଂସରେ ବ୍ୟାଟିଂ କରି ଅତି କମ୍‌ରେ ୯୫ ରନରେ ହାରିଛି।

୨୦୧୩ ଚମ୍ପିଆନ୍ସ ଟ୍ରଫି ମୁକୁଟ ଜିତିବା ପରେ ଯେତିକି ବି ଆଇସିିିସି ଟୁର୍ଣ୍ଣାମେଣ୍ଟ ଖେଳିଛି ବିଜୟ ପ୍ରତିଶତ ଦୃଷ୍ଟିରୁ ଭାରତ ସବୁଠୁ ଆଗରେ ରହିଛି। ଭାରତ ୨୦୧୩ ପରଠୁ ଆଇସିସି ଟୁର୍ଣ୍ଣାମେଣ୍ଟର ୪୪ଟି ଲିଗ୍‌ ମୁକାବିଲାରୁ ୩୮ଟିରେ ବିଜୟୀ ହୋଇଛି। ଅର୍ଥାତ୍‌ ଭାରତ ଲିଗ୍‌ ପର୍ଯ୍ୟାୟ ମ୍ୟାଚରେ ୮୬ ପ୍ରତିଶତ ଜିତିଛି। ଅନ୍ୟପଟେ ଭାରତୀୟ ଟିମ୍‌ ୯ଟି ନକ୍‌ଆଉଟ୍‌ ମୁକାବିଲାରୁ ୮ଟିରେ ପରାସ୍ତ ହୋଇଛି। ଅର୍ଥାତ୍‌ ୮୯ ପ୍ରତିଶତ ନକ୍‌ଆଉଟ୍‌ ମ୍ୟାଚରେ ଭାରତ ପରାଜିତ ହୋଇ ଟ୍ରଫି ଦୌଡ଼ରୁ ବାଦ ପଡ଼ିଛି।

ଭାରତୀୟ କ୍ରିକେଟର ଦଳର ୪୮ ବର୍ଷର ଯାତ୍ରା:

୧୯୭୫-୧୯୮୩: ୧୯୭୫ ଓ ୧୯୭୯ ବିଶ୍ବକପ୍‌ରେ ଭାରତ ନକ୍‌ଆଉଟ୍‌ ମୁକାବିଲା ପର୍ଯ୍ୟନ୍ତ ପହଞ୍ଚି ପାରିନଥିଲା। ୧୯୮୩ରେ ପ୍ରଥମ ଥର ପାଇଁ ନକ୍‌ଆଉଟ୍‌ରେ ପହଁଞ୍ଚି ବିଶ୍ବ ବିଜେତା ହୋଇଥିଲା।

୧୯୮୪-୨୦୦୬: ଭାରତ ମୋଟ ୧୧ଟି ଆଇସିସି ଟୁର୍ଣ୍ଣାମେଣ୍ଟ ଖେଳିଥିଲା। ସେମ ଧ୍ୟରୁ ୫ଟି ମୁକାବିଲା ସେମିଫାଇନାଲ କିମ୍ବା ଫାଇନାଲରେ ହାରିଥିଲା ଦଳ। ଗୋଟିଏ ଫାଇନାଲ ବର୍ଷା କାରଣରୁ ଧୋଇ ହୋଇ ଯାଇଥିଲା। ଯାହାଫଳରେ ସଂଯୁକ୍ତ ବିଜେତା ହୋଇଥିଲା ଭାରତ। ଆଉ ୫ଟି ଟୁର୍ଣ୍ଣାମେଣ୍ଟରେ ଭାରତ ନକ୍‌ଆଉଟ୍‌ ମୁକାବିଲ ପର୍ଯ୍ୟନ୍ତ ପହଁଞ୍ଚି ପାରି ନଥିଲା। ୧୯୮୩ ଦିନିକିଆ ବିଶ୍ବକପ୍‌ ପରେ ୨୦୦୭ ଦିନିକିଆ ବିଶ୍ବକପ୍‌ ପର୍ଯ୍ୟନ୍ତ ଭାରତ ଗୋଟିଏ ବି ଆଇସିସି ଟୁର୍ଣ୍ଣାମେଣ୍ଟ ଜିତି ପାରିନଥିଲା।

୨୦୦୭-୨୦୧୩: ୨୦୦୭ ଟି-୨୦ ବିଶ୍ବକପ୍‌ଠୁ ଆରମ୍ଭ କରି ୨୦୧୩ ଚମ୍ପିଆନ୍ସ ଟ୍ରଫି ପର୍ଯ୍ୟନ୍ତ ୭ଟି ଆଇସିସି ଟୁର୍ଣ୍ଣାମେଣ୍ଟ ଭାରତ ଖେଳିଥିଲା। ସେ ମଧ୍ୟରୁ ୩ଟି ନକ୍‌ଆଉଟ୍‌ ରାଉଣ୍ଡରେ ପହଁଞ୍ଚିଥିଲା ଆଉ ୩ଟି ଯାକରେ ବିଜୟୀ ହୋଇଥିଲା। ଆଉ ୪ଟିରେ ନକ୍‌ଆଉଟ୍‌ ମୁକାବିଲା ପର୍ଯ୍ୟନ୍ତ ପହଁଞ୍ଚି ପାରିନଥିଲା ଭାରତ।

୨୦୧୪-୨୦୨୩: ବର୍ତ୍ତମାନ ଚାଲୁଥିବା ଦିନିକିଆ ବିଶ୍ବକପ୍‌ ପୂର୍ବରୁ ଭାରତ ୯ଟି ଆଇସିସି ଟୁର୍ଣ୍ଣାମେଣ୍ଟ ଖେଳି ୮ଟିରେ ନକ୍‌ଆଉଟ୍‌ ମୁକାବିଲାରେ ପହଁଞ୍ଚି ଗୋଟେ ବି ଟ୍ରଫି ଜିତି ପାରିନାହିଁ।

Leave A Reply

Your email address will not be published.