Odisha Link
Bridging the Missing Links in Odisha

ଶ୍ରୀମନ୍ଦିରକୁ ବୟସ୍କଙ୍କୁ ନଆସିବାକୁ କୁହାଯିବା ପ୍ରସଙ୍ଗ: ପ୍ରତିକ୍ରିୟା ରଖିଲେ ବିଜେଡି ବିଧାୟକ

ଓଏଲ୍‌ ବ୍ୟୁରୋ: ହିନ୍ଦୁ ଧର୍ମର ଧାର୍ମିକ ମାସ ଯାହାକୁ କାର୍ତ୍ତିକ ମାସ ବୋଲି କୁହାଯାଏ। କାର୍ତ୍ତିକ ମାସ ପାଇଁ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼। ଧର୍ମମାସ କାର୍ତ୍ତିକରେ ଶ୍ରୀକ୍ଷେତ୍ରରେ ପ୍ରବଳ ଗହଳି ଜମିଛି। ଆଉ ୫-୬ ଦିନ ପରେ କାର୍ତ୍ତିକ ମାସ ଶେଷ ହେବ। ଯାହାଫଳରେ ପୁରୀ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି। ଭିଡ଼ ଯୋଗୁ ଆଜି ଦର୍ଶନ ପାଇଁ ଧାଡ଼ିରେ ଛିଡ଼ା ହୋଇଥିବା କିଛି ଶ୍ରଦ୍ଧାଳୁ ଅସୁସ୍ଥ ହୋଇପଡ଼ିଥିଲେ। ଏହାକୁ ଦୃଷ୍ଟିରେ ରଖି ବୟସ୍କ ଓ ରୋଗାକ୍ରାନ୍ତ ଲୋକଙ୍କୁ ଏବେ ପୁରୀ ନଆସିବାକୁ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ। ଯାହାକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ମିଳିଛି।

ଶ୍ରୀମନ୍ଦିରକୁ ବୟସ୍କଙ୍କୁ ନଆସିବାକୁ କୁହାଯିବା ପ୍ରସଙ୍ଗରେ ବିଧାୟକ ଉମା ସାମନ୍ତରାୟ ପ୍ରତିକ୍ରିୟା ରଖିଛନ୍ତି। ଜଗନ୍ନାଥ ମନ୍ଦିର ପାଇଁ ସରକାର ସବୁବେଳେ ସଜାଗ ରହିଛନ୍ତି। ମୁଖ୍ୟମନ୍ତ୍ରୀ ମଧ୍ୟ ଉପଯୁକ୍ତ ପରାମର୍ଶ ଦେଇଛନ୍ତି। ସୁବିଧାରେ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଉଛି ବୋଲି ବିଧାୟକ ଉମା ସାମନ୍ତରାୟ ପ୍ରତିକ୍ରିୟା ରଖିଛନ୍ତି।

ପୁରୀରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ବ୍ୟାରିକେଟ୍ ବାହାରେ ବଡ଼ଦାଣ୍ଡରେ ଲମ୍ବା ଲାଇନ ଲାଗିଛି। ତେବେ ଏହି ସମୟରେ ଏକ ମାନବିକତାର ଚିତ୍ର ସାମ୍ନାକୁ ଆସିଛି। ଜଗା ଦର୍ଶନ ପାଇଁ ଆସିଥିବା ବୃଦ୍ଧାଙ୍କୁ ଟେକି ଟେକି ସିଂହଦ୍ବାରରେ ଛାଡ଼ିଲେ କାର୍ଯ୍ୟରତ ପୁଲିସ କର୍ମଚାରୀ। ଯାହା ପରେ ବୃଦ୍ଧା ଜଣକ ଖୁସିରେ ଦୁଇ ପୁଲିସ କର୍ମଚାରୀଙ୍କୁ ଆଶୀର୍ବାଦ କରୁଛନ୍ତି।

ଅନ୍ୟପଟେ, ବଡ଼ଦାଣ୍ଡରେ ଅସମ୍ଭାଳ ଭିଡ଼କୁ ନଜରରେ ରଖି ବଡ଼ଦାଣ୍ଡରେ ମାର୍କେଟ ଛକ ଯାଏ ଉଠା ଦୋକାନ ବନ୍ଦ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ପଞ୍ଚୁକରେ ଅଧିକ ଗହଳିକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଇଛି। ଗହଳି ନିୟନ୍ତ୍ରଣ ପାଇଁ ୩ଟି ସିଫ୍ଟରେ ସ୍ବେଚ୍ଛାସେବୀ ରହିବେ ବୋଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି।

Leave A Reply

Your email address will not be published.