Odisha Link
Bridging the Missing Links in Odisha

ନବରଙ୍ଗପୁରରେ ଗଡ଼ିଲା ଲକ୍ଷ୍ମୀ ବସ୍; ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ନବରଙ୍ଗପୁର ବାସିନ୍ଦାଙ୍କ ପାଇଁ ଖୁସି ଖବର। ଗମନାଗମନ ସୁବିଧା ପାଇଁ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ଚାଲିଲା ୪୪ଟି ବସ୍, ଜିଲ୍ଲାର ୧୦ଟି ବ୍ଲକର ସବୁ ପଞ୍ଚାୟତକୁ ଯୋଡିବ ଲକ୍ଷ୍ମୀ ବସ୍। ପୂର୍ବରୁ ମୁଖ୍ୟମନ୍ତ୍ରୀ କଳାହାଣ୍ଡିରେ ମଧ୍ୟ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଥିଲେ। ଏହାଦ୍ୱାରା ଉପାନ୍ତ ଅଞ୍ଚଳରେ ଗମନାଗମନରେ ଉନ୍ନତି ଆସିବ। ମିଶନ ଶକ୍ତି ମହିଳା, ଭିନ୍ନକ୍ଷମ, ଗର୍ଭବତୀ ମହିଳା ସହଜରେ ପଞ୍ଚାୟତରୁ ବ୍ଲକ କାର୍ଯ୍ୟାଳୟକୁ ଯାଇପାରିବେ।

ବସ୍ ଯୋଜନାର ଶୁଭାରମ୍ଭ କରିବା ଅବସରରେ ଉଦ୍‌ବୋଧନ ଦେଇ ନବରଙ୍ଗପୁର ଜିଲ୍ଲାବାସୀଙ୍କୁ ମୁଖ୍ୟମନ୍ତ୍ରୀ କହିଲେ, ଦୁର୍ଗମ ଅଞ୍ଚଳରେ ଗମନାଗମନ ଏକ ବଡ ସମସ୍ୟା। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତରୁ ଲୋକଙ୍କ ଯିବା ଆସିବାର ଅସୁବିଧା ବିଷୟରେ ମୁଁ ଜାଣିବା ପରେ ଏହି ଲକ୍ଷ୍ମୀ ଯୋଜନା ଆରମ୍ଭ କରାଗଲା। ଲକ୍ଷ୍ମୀ ଯୋଜନାରେ ଗମନାଗମନ ଓ ପରିବହନ ବ୍ୟବସ୍ଥାରେ ଆପଣଙ୍କ ଗାଁ ଏବେ ଯୋଡି ହେଲା।

ପରିବହନ ବ୍ୟବସ୍ଥାକୁ ସୁଦୃଢ କରିବା ସହିତ ପର୍ଯ୍ୟଟନ ତଥା ଆଞ୍ଚଳିକ ଆର୍ଥିକ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ମୀ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମହିଳା କଣ୍ଡକ୍ଟର ଓ ମିଶନ ଶକ୍ତି ମହିଳା। ନବରଙ୍ଗପୁର ଜିଲ୍ଲାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ପରିବହନ ସଚିବ ଉଷା ପାଢ଼ୀଙ୍କ ସହ ଜିଲ୍ଲାର ସମସ୍ତ ବିଧାୟକ, ସାଂସଦ ଓ ନେତୃମଣ୍ଡଳୀ ଯୋଗଦେଇଥିଲେ। ଲକ୍ଷ୍ମୀ ଯୋଜନା ଦ୍ୱାରା ଗ୍ରାମାଞ୍ଚଳରେ ସାମାଜିକ ସଂପର୍କ ମଜବୁତ୍ ହେବା ସହିତ ଅର୍ଥନୀତି ମଧ୍ୟ ଆହୁରି ସୁଦୃଢ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

Leave A Reply

Your email address will not be published.