Odisha Link
Bridging the Missing Links in Odisha

ଜାନୁଆରୀରେ ପ୍ରତିଷ୍ଠା ଭବ୍ୟ ଶ୍ରୀରାମ ମନ୍ଦିର; ଭକ୍ତଙ୍କ ସୁବିଧା ପାଇଁ ଆରମ୍ଭ ହେଲା ଟେଣ୍ଟ୍ ବ୍ୟବସ୍ଥା

ଓଏଲ୍‌ ବ୍ୟୁରୋ: ଭବ୍ୟ ଶ୍ରୀରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ତାରିଖ ଘୋଷଣା କରାଯାଇଛି। ୨୦୨୪ ଜାନୁଆରୀ ୨୨ ତାରିଖରେ ପ୍ରତିଷ୍ଠା ହେବ ଉତ୍ତରପ୍ରଦେଶରେ ନିର୍ମିତ ହେଉଥିବା ଭବ୍ୟ ଶ୍ରୀରାମ ମନ୍ଦିର। ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ୍‌ କାର୍ଯ୍ୟକର୍ତ୍ତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ନିମନ୍ତ୍ରଣ ପତ୍ର ଦେବା ସହିତ ତାରିଖ ଘୋଷଣା କରିଛନ୍ତି।

ରାମଜନ୍ମଭୂମିରେ ରାମଲଲ୍ଲାଙ୍କ ଦର୍ଶନ ପାଇଁ ଆସିବେ ଭକ୍ତ। ଭକ୍ତଙ୍କ ରହିବା, ଖାଇବାର ସୁବିଧା ପାଇଁ ଆରମ୍ଭ ହୋଇଗଲାଣି ଟେଣ୍ଟ୍ ବ୍ୟବସ୍ଥା। ଏକାଥରରେ ୧୫ ରୁ ୨୦ ହଜାର ଭକ୍ତ ୩ଟି ସ୍ଥାନରେ ରହିବାର ସୁବିଧା ପାଇବେ।

ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସଦସ୍ୟମାନେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିଥିଲେ। ସଦସ୍ୟମାନେ ପ୍ରଧାନମନ୍ତ୍ରୀଙ୍କୁ ମନ୍ଦିରର ପ୍ରାଣ ପ୍ରତିଷ୍ଠାନ କାର୍ଯ୍ୟକ୍ରମରେ ସାମିଲ ହେବାକୁ ନିମନ୍ତ୍ରଣ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏହାକୁ ଗ୍ରହଣ କରି ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେ ବୋଲି କହିଛନ୍ତି।

ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଚାଲିଥିବା ୩ ମହଲା ବିଶିଷ୍ଟ ଭବ୍ୟ ରାମ ମନ୍ଦିରର କାମ ଡିସେମ୍ବର ସୁଦ୍ଧା ଶେଷ ହେବ। ମନ୍ଦିରର ଗ୍ରାଉଣ୍ତ ଫ୍ଲୋର ନିର୍ମାଣ କାମ ଡିସେମ୍ବର ସୁଦ୍ଧା ଶେଷ ହୋଇଯିବ। ଏହାପରେ ମନ୍ଦିରର ପ୍ରତିଷ୍ଠା ଜାନୁଆରୀ ୨୨ରେ କରାଯିବ ବୋଲି ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରା ଏହାପୂର୍ବରୁ କହିଥିଲେ।

୨୦୨୪ ଜାନୁଆରୀ ୨୨ ତାରିଖ ଦିନ ୧୨.୩୦ରୁ ଉଦଘାଟନୀ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ସୂଚନା ରହିଛି। ଏହା ସହ ୨୦୨୪ର ଜାନୁଆରୀରେ ଅଯୋଧ୍ୟାରେ ନିର୍ମାଣ ଚାଲିଥିବା ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲିବ ବୋଲି ସୂଚନା ରହିଛି।

Leave A Reply

Your email address will not be published.