Odisha Link
Bridging the Missing Links in Odisha

ଝାରସୁଗୁଡାରୁ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ: କହିଲେ-ଚାଷୀଙ୍କୁ ଲୁଟୁଛନ୍ତି କେନ୍ଦ୍ର ସରକାର

ଓଏଲ୍‌ ବ୍ୟୁରୋ: କଂଗ୍ରେସର ଭାରତ ଯୋଡ଼ ନ୍ୟାୟ ଯାତ୍ରା ଜାରି ରହିଛି। ଏହି ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା ଓଡ଼ିଶାରେ ପହଂଚିଛି। ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତର ଆଜି ଶେଷ ଦିନ। ଝାରସୁଗୁଡାରେ ରାହୁଲ ଗାନ୍ଧି ଭାରତ ଯୋଡ଼ ନ୍ୟାୟ ଯାତ୍ରା ପହଂଚିଛି। ବେଲପାହାଡରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରି ରାହୁଲ ଗାନ୍ଧୀ କହିଛନ୍ତି, ମୋଦି ଜେନରାଲ କାଷ୍ଟରେ ଜନ୍ମ ଗ୍ରହଣ କରିଥିଲେ। ପରେ ଗୁଜରାଟ ସରକାର ତାଙ୍କୁ ଓବିସି ଅନ୍ତର୍ଭୁକ୍ତ କରିଥିଲା। ପଛୁଆବର୍ଗ ଲୋକଙ୍କୁ ଭୂଆଁ ବୁଲାଉଛନ୍ତି ପ୍ରଧାନମନ୍ତ୍ରୀ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କୁ ଲୁଟୁଛନ୍ତି। ଓଡ଼ିଶାରେ ଯୁବପିଢ଼ିଙ୍କୁ ନିଯୁକ୍ତି ମିଳୁନାହିଁ। ପେଟ୍ରୋଲ ଓ ଖାଦ୍ୟ ସାମଗ୍ରୀ ଦର ବଢୁଛି ଫରକ ପଡ଼ୁନି।

ସୂଚନା ଅନୁସାରେ, ଗତକାଲି ପାନପୋଷ ସମାବେଶରେ ରାହୁଲ ଗାନ୍ଧି ଉଦବୋଧନ ଦେଇଥିଲେ। ସେ କହିଥିଲେ, ଓଡ଼ିଶାରେ ବିଜେପି ଓ ବିଜେଡି ପାର୍ଟନରସିପ୍‌ ସରକାର ଚାଲିଛି। ଓଡ଼ିଶାରୁ ୩୦ ଲକ୍ଷ ଲୋକ ବାହାର ରାଜ୍ୟକୁ କାମ ପାଇଁ ଯାଇଛନ୍ତି। ଓଡ଼ିଶାକୁ ୩୦ କୋଟିପତି ଲୁଟିବାକୁ ଆସିଛନ୍ତି। ଓଡ଼ିଶାରେ ଆଦିବାସୀ ଓ ଦଳିତଙ୍କ ପ୍ରତି ଅତ୍ୟାଚାର ହେଉଛି। ଦେଶରେ ଆରଏସଏସ ଓ ବିଜେପି ଘୃଣାଭାବ ସୃଷ୍ଟି କରୁଛନ୍ତି। ଘୃଣାର ବଜାରରେ ଭଲପାଇବାର ବଜାର ଖୋଲିବାକୁ ହେବ। ଗତବର୍ଷ କନ୍ୟାକୁମାରୀରୁ କାଶ୍ମୀର ଯାଏ ଯାତ୍ରା କଲୁ। ଏଥର ଲୋକଙ୍କ ମନର କଥା ଶୁଣିବାକୁ ମୁଁ ଆସିଛି। ଦେଶରେ ସବୁଠାରୁ ଅଧିକ ବେରୋଜଗାର ଓଡ଼ିଶାରେ। ଏହା ସହ ନ୍ୟାୟ ଯାତ୍ରାରେ ସାମିଲ ହୋଇଥିବାରୁ ରାହୁଲ ଗାନ୍ଧି ଧନ୍ୟବାଦ ଦେଇଛନ୍ତି।