ଓଡ଼ିଶାରେ ହେବ କି ବିଜେଡି-ବିଜେପି ମେଣ୍ଟ ? ବିଜେପି ନେତା କହିଲେ…

ଓଏଲ୍ ବ୍ୟୁରୋ: ଓଡ଼ିଶାରେ ଏକାସାଥିରେ ହେବ ବିଧାନସଭା ଓ ଲୋକସଭା ନିର୍ବାଚନ। ଏଥିପାଇଁ ରାଜ୍ୟର ୩ ପ୍ରମୁଖ ଦଳ ଆରମ୍ଭ କରିଛନ୍ତି ଅଙ୍କକଷା। ବିଜେଡି, ବିଜେପି ଓ କଂଗ୍ରେସ ଦଳୀୟ କର୍ମୀଙ୍କୁ କରୁଛନ୍ତି ଘନ ଘନ ବୈଠକ। ଏସବୁ ମଧ୍ୟରେ ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି ଓଡ଼ିଶା ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂହ ତୋମାର। ଏଥିସହିତ ବିଜେଡି-ବିଜେପି ମେଣ୍ଟକୁ ନେଇ ଦେଇଛନ୍ତି ବଡ଼ ବୟାନ। ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ।
ଆଜିଠୁ ୨ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଁଞ୍ଚିଛନ୍ତି ବିଜୟପାଲ ସିଂହ ତୋମାର। ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର। ସେ କହିଛନ୍ତି ମେଣ୍ଟ ହେବ କି ନାହିଁ, ତାହା କେନ୍ଦ୍ରର ନିଷ୍ପତ୍ତିି। କେନ୍ଦ୍ର ଯାହା ନିଷ୍ପତ୍ତିି ନେବ ଆମେ ସେଥିରେ ସହମତ।
ସେ ଆହୁରି କହିଛନ୍ତି, ଖୁବଶୀଘ୍ର ବିଜେପି ଘୋଷଣା କରିପାରେ ୧୦୦ ଲୋକସଭା ପ୍ରାର୍ଥୀଙ୍କ ନାମ। ଏହି ପ୍ରାର୍ଥୀ ତାଲିକାରେ ଓଡ଼ିଶାରୁ ୨ରୁ ୩ ଜଣଙ୍କ ନାଁ ରହିପାରେ। ସେହିପରି ରାଜ୍ୟରେ ବିଧାନସଭା ଓ ଲୋକସଭାରେ ବିଜେପି ବହୁମତ ପାଇବ ବୋଲି ବିଜୟପାଲ ସିଂ ତୋମାର ଦୃଢୋକ୍ତି ପ୍ରକାଶ କରିଛନ୍ତି। କେନ୍ଦ୍ର ସରକାରଙ୍କ ସବୁ ଯୋଜନା ତୃଣମୂଳସ୍ତରରେ ପହଞ୍ଚାଇବା ପାଇଁ ପ୍ରୟାସ କରାଯାଉଛି ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ ପ୍ରଭାରୀ।