ମନେ ରହିବେ ୮ ବର୍ଷର ବାଳକ ଶୁଭଜିତ; ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଦିଆଗଲା ଅନ୍ତିମ ବିଦାୟ

ଓଏଲ୍ ବ୍ୟୁରୋ: ମନେ ରହିବେ ୮ ବର୍ଷର ବାଳକ ଶୁଭଜିତ। ଅଙ୍ଗଦାନ କରିଥିବା ଶିଶୁଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଅନ୍ତିମ ବିଦାୟ ଦିଆଯାଇଛି। ଅଙ୍ଗଦାନ କରି ଅମର ହୋଇଗଲେ ୮ ବର୍ଷର ଶୁଭଜିତ। ଅଙ୍ଗଦାନ କରି ଅମର ହୋଇ ଯାଇଥିବା ଭୁବନେଶ୍ୱରର ୮ ବର୍ଷୀୟ ବାଳକ ଶୁଭୋଜିତଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଗଲା ଗାର୍ଡ ଅଫ୍ ଅନର। ସତ୍ୟନଗର ଶ୍ମଶାନରେ ପୁଲିସ କମିଶନର ସଞ୍ଜୀବ ପଣ୍ଡା ଓ ଡିସିପି ପ୍ରତୀକ ସିଂହଙ୍କ ଉପସ୍ଥିତିରେ ଓଡ଼ିଶା ପୁଲିସ ପକ୍ଷରୁ ଆଜି ଶୁଭଜିତଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି। ପରିବାର ଲୋକଙ୍କ ଉପସ୍ଥିତିରେ ସତ୍ୟନଗର ଶ୍ମଶାନରେ ଆଜି ଶୁଭଜିତଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।
ସୂଚନା ଅନୁସାରେ, ଭୁବନେଶ୍ଵର କଳ୍ପନା ଅଞ୍ଚଳର ଡାକ୍ତର ବିଶ୍ୱଜିତ ସାହୁଙ୍କ ପୁଅ ଶୁଭଜିତ ଓରଫ ପ୍ରେମ୍। ଦ୍ବିତୀୟ ଶ୍ରେଣୀର ମେଧାବୀ ଛାତ୍ର। ଗତ ବୁଧବାର ପରୀକ୍ଷା ଦେବାକୁ ଯାଇଥିବାବେଳେ ଶ୍ରେଣୀ ଗୃହରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲା ପ୍ରେମ୍। ଚିକିତ୍ସା ପରେ ସ୍ୱାସ୍ଥ୍ୟ ଅବସ୍ଥାରେ ସାମାନ୍ୟ ଉନ୍ନତି ଘଟିଥିଲା। ମାତ୍ର ଗତ ଗୁରୁବାର ଡାକ୍ତର ତାଙ୍କୁ ବ୍ରେନ ଡେଡ ଘୋଷଣା କରିଥିଲେ। ପୁଅ ମୃତ୍ୟୁରେ ଭାଙ୍ଗି ପଡ଼ିଥିବା ପରିବାର ଲୋକେ କିନ୍ତୁ ଅନ୍ୟ ଶରୀରରେ ପୁଅ ବଞ୍ଚୁ ବୋଲି ଭାବି ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଥିଲେ।
ଏହାପରେ ଶୁଭୋଜିତ ଶରୀରରୁ କିଡନୀ, ଆଖି, ପାନକ୍ରିୟସ୍, ଲିଭର ପ୍ରମୁଖ ପୃଥକ୍ କରାଯାଇଥିଲା। ଶରୀରର ୮ଟି ପ୍ରମୁଖ ଅଙ୍ଗକୁ ଦାନ କରିଦେଇଛନ୍ତି ବାପାମାଆ। ଆଉ ସୁବୋଜିତଙ୍କ ପାଇଁ ୨ ଜଣଙ୍କୁ ମିଳିଛି ନୂଆ ଜୀବନ। ସୁବୋଜିତଙ୍କ ୨ଟି କିଡନୀ ଅନ୍ୟ ଦୁଇ ଜଣଙ୍କ ଶରୀରରେ ପ୍ରତ୍ୟାରୋପଣ କରିବାରେ ଡାକ୍ତରୀ ଟିମ୍ ସଫଳ ହୋଇଛନ୍ତି। ତେବେ ଅଙ୍ଗଦାନ କରିଥିବା ୮ ବର୍ଷର ବାଳକ ଶୁଭଜିତ ଅମର ହୋଇ ରହିବେ।