ନିର୍ବାଚନ ପୂର୍ବରୁ ଦିଲ୍ଲୀପ ରାୟଙ୍କୁ ଆଶ୍ବସ୍ତି; ଏଥର ଲଢ଼ିପାରିବେ ନିର୍ବାଚନ
ଓଏଲ୍ ବ୍ୟୁରୋ: ଠିକ୍ ନିର୍ବାଚନ ପୂର୍ବରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ବଡ଼ ଆଶ୍ବସ୍ତି। ବହୁଚର୍ଚ୍ଚିତ କୋଇଲା ଦୁର୍ନୀତି ମାମଲାରେ ଶ୍ରୀ ରାୟଙ୍କୁ ମିଳିଛି ଆଶ୍ବସ୍ତି। ଆଜି ସିବିଆଇ କୋର୍ଟର ଦଣ୍ଡାଦେଶ ଉପରେ ରୋକ ଲଗାଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଏନେଇ ଖବର ସରବରାହ ସଂସ୍ଥା ପିଟିଆଇ ସୂତ୍ରରୁ ସୂଚନା ମିଳିଛି। ଦିଲୀପଙ୍କ ଉପରେ ଥିବା ଦଣ୍ଡ ଉପରେ ରହିତାଦେଶ ଜାରି ହୋଇଛି। ଏହି ରହିତାଦେଶ ପରେ ଏବେ ଦିଲୀପ ପୁଣି ରାଜନୀତିକୁ ଫେରିବା ନେଇ ଚର୍ଚ୍ଚା ଜୋର ଧରିଛି।
୨୦୨୦ ମସିହାରେ ଦିଲ୍ଲୀପ ରାୟଙ୍କୁ ଏହି ଦୁର୍ନୀତି ମାମଲାରେ ଦଣ୍ଡାଦେଶ ଶୁଣାଇଥିଲେ ତଳ କୋର୍ଟ । ବରିଷ୍ଠ ନେତାଙ୍କୁ ୩ବର୍ଷ ଜେଲ୍ ଦଣ୍ଡ ସହ ୧୦ଲକ୍ଷ ଟଙ୍କା ଜରିମାନା କରିଥିଲେ କୋର୍ଟ। ଏହି ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଦିଲ୍ଲୀପ ରାୟ। ତେବେ କୋର୍ଟଙ୍କ ରହିତାଦେଶ ପରେ ଦିଲ୍ଲୀପଙ୍କ ନିର୍ବାଚନ ଲଢ଼ିବା ନେଇ ରାସ୍ତା ସଫା ହୋଇଛି। ତେବେ ସେ ଚଳିତ ନିର୍ବାଚନରେ ମଇଦାନକୁ ଓହ୍ଲାଇବେ ନା ନାଇଁ ଏନେଇ କିଛି ସୂଚନା ଦେଇ ନାହାନ୍ତି ଦିଲ୍ଲୀପ ରାୟ।
ଅନ୍ୟପଟେ ଦିଲ୍ଲୀପ ରାୟ ବିଜେପି ଟିକେଟ୍ରୁ ନିର୍ବାଚନ ଲଢ଼ିପାରନ୍ତି ବୋଲି ଜୋରଦାର ଚର୍ଚ୍ଚା ହେଉଛି। ରାଉରକେଲା ଆସନ ହେଉଛି ଦିଲ୍ଲୀପ ରାୟଙ୍କ ପାରମ୍ପରିକ ସିଟ୍। ତେବେ ରାଉରକେଲାରୁ ବିଜେଡି ଓ କଂଗ୍ରେସ ନିଜ ନିଜ ପ୍ରାର୍ଥୀ ଦେଇ ସାରିଛି।ବିଜେପି ଏବେ ବି ରାଉରକେଲାରୁ କାହାକୁ ବି ଓହ୍ଲାଇନି । ତେଣୁ ଚର୍ଚ୍ଚା ହେଉଛି କି ଦିଲୀପ ରାଉରକେଲାରୁ ପ୍ରାର୍ଥୀ ହୋଇପାରନ୍ତି।
ସୂଚନାଥାଉକି, ୧୯୯୯ ମସିହାରେ ବାଜପେୟୀ ସରକାରରେ କୋଇଲା ରାଷ୍ଟ୍ରମନ୍ତ୍ରୀ ଥିଲେ ଦିଲ୍ଲୀପ ରାୟ। ଏହି ସମୟରେ ଝାଡ଼ଖଣ୍ଡର ଗିରିଡ଼ିହ ସ୍ଥିତ ବ୍ରହ୍ମଡିହ କୋଲ୍ ବ୍ଲକ ଆବଣ୍ଟନ କରାଯାଇଥିଲା। କ୍ରାଷ୍ଟନ୍ ଟେକ୍ନୋଲୋଜି ଲିମିଟେଡକୁ କୋଲ୍ ବ୍ଲକ ମିଳିଥିଲା। ଏଥିରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରି ତଦନ୍ତ କରିଥିଲା ସିବିଆଇ। ୬ ଅକ୍ଟୋବର ୨୦୨୦ରେ ମାମଲାର ଶୁଣାଣି କରିଥିଲେ ସ୍ୱତନ୍ତ୍ର ସିବିଆଇ କୋର୍ଟ।