Odisha Link
Bridging the Missing Links in Odisha

ଭୁବନେଶ୍ବର ଓଡ଼ିଶାର ‘ରାଜଧାନୀ’ କେମିତି ହେଲା?

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ। ୭୫ ବର୍ଷ ପୂରଣ କରି ୭୬ ବର୍ଷର ପାଦ ଥାପିଛି ରାଜଧାନୀ। ୧୯୪୮ରେ ଏନ୍‌ଏସି, ୧୯୭୯ରେ ମୁନିସିପାଲିଟି ଓ ୧୯୯୪ରୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ରାଜଧାନୀବାସୀଙ୍କୁ ମୌଳିକ ସେବା ଯୋଗାଇ ଆସୁଛି। ସବୁଜ ବଳୟରୁ କଂକ୍ରିଟ ଜଙ୍ଗଲରେ ପରିଣତ ହୋଇଛି ରାଜଧାନୀ।

ବିଶ୍ବ ମାନଚିତ୍ରରେ ଐତିହ୍ୟ ସହର ଭାବେ ପରିଚିତ ଭୁବନେଶ୍ବର ଏବେ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ସ୍ପୋଟର୍ସର ହବ୍ ଭାବେ ବି ବେଶ ପରିଚିତ। ରୋଜଗାର ପାଇଁ ଅନେକ ଲୋକ ଭୁବନେଶ୍ୱରକୁ ବି ବାଛୁଛନ୍ତି।

ଐତିହ୍ୟ, କୀର୍ତ୍ତିରାଜି, ମନ୍ଦିର, ସ୍ଥାପତ୍ୟରେ ଭରପୂର ଭୁବନେଶ୍ବରର ତ ଅନେକ ପୂର୍ବରୂ ଅନ୍ତର୍ଜାତୀୟସ୍ତରରେ ସ୍ବତନ୍ତ୍ର ପରିଚୟ ରହିଛି, ଏବେ ଏକ ଆଧୁନିକ ସହର ଭାବେ ମଧ୍ୟ ଏହା ବିଶ୍ବ ଦରବାରରେ ନୂଆରୂପରେ ପରିଚିତ ହେଉଛି। ଏକଦା ବଣ ପାହାଡ଼ ଘେରା, ଶଗଡ଼ଗୁଳାର ରାସ୍ତା ଥିବା ରାଜଧାନୀ ଏବେ ସ୍ମାର୍ଟସିଟି ପାଲଟିଛି।

୧୯୩୬ ମସିହାରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ହେବା ପରେ ରାଜଧାନୀ ପ୍ରତିଷ୍ଠା ପାଇଁ ସେତେବେଳର ବିଟ୍ରିଶ ସରକାର ଜୋନ୍‌ସ୍‌ କମିଟି ଗଠନ କରିଥିଲେ। ତାପୂର୍ବରୁ ୧୯୩୩ ମସିହାରେ କଟକ ସହରକୁ ରାଜଧାନୀ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ କଟକର ଉଭୟ ପାର୍ଶ୍ବରେ ମହାନଦୀ ଓ କାଠଯୋଡ଼ି ରାଜଧାନୀକୁ ବିପଦ ହେବା ଆଶଙ୍କାରେ ତତ୍‌କାଳୀନ ବ୍ରିଟିସ ସରକାର ପ୍ରସ୍ତାବ ବାତିଲ କରିଥିଲା।

କଟକ ପ୍ରସ୍ତାବ ବାତିଲ ହେବା ପରେ ୧୯୩୭ ମସିହାରେ ବ୍ରିଟିସ ସରକାର ଜୋନ୍‌ସ୍‌ କମିଟି ରଙ୍ଗେଇଲୁଣ୍ତାକୁ ରାଜଧାନୀ କରିବାକୁ ପ୍ରସ୍ତାବ ଦେଇଥିଲା। ୧୯୩୭ରେ ଅନ୍ୟ ଏକ କମିଟି ଓ ଉପଦେଷ୍ଟାମଣ୍ତଳୀ ଏହାକୁ ଅନୁଧ୍ୟାନ କରି କାଟିଦେଇଥିଲା। ଏହାପରେ ସରକାର ଡ୍ୟାନ୍‌ କମିଟି ଗଠନ କଲେ। ଏହି କମିଟି ଯେଉଁ ସବୁ ପ୍ରସ୍ତାବ ଦେଲା, ତାହା ମଧ୍ୟ ବିଭିନ୍ନ କାରଣରୁ ବାତିଲ୍‌ ହେଲା। ଏହା ପରେ ଚୌଦ୍ବାର, ଅନୁଗୁଳ ଓ ଖୋର୍ଦ୍ଧା ପ୍ରଭୃତି ପ୍ରସ୍ତାବ କାଟ୍‌ ଖାଇବା ପରେ ଡ. ହରେକୃଷ୍ଣ ମହତାବ ଭୁବନେଶ୍ବରରେ ରାଜଧାନୀ ହେବ ବୋଲି ପ୍ରସ୍ତାବ ଦେଇଥିଲେ। ପରେ ୧୯୪୮ ମସିହା ଏପ୍ରିଲ ୧୩ତାରିଖରେ ଭୁବନେଶ୍ବରକୁ ଓଡ଼ିଶାର ରାଜଧାନୀ ମାନ୍ୟତା ମିଳିଥିଲା।

ରାଜଧାନୀ ମାନ୍ୟତା ମିଳିଥିଲେ ମଧ୍ୟ ୧୫ବର୍ଷର ପ୍ରାଶାସନିକ କସରତ ପରେ ଭୁବନେଶ୍ବର ଓଡ଼ିଶାର ରାଜଧାନୀ ହୋଇଥିଲା। ଜବାହରଲାଲ୍‌ ନେହରୁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ନେହରୁ ରାଜଧାନୀ ସହରର ନକ୍ସାକୁ ଦେଖି ଖୁସି ହୋଇ ଯାଇଥିଲେ। ସହରରେ ଥିବା ପୁରାତନ ମନ୍ଦିର ଓ ମନୋରମ ପରିବେଶକୁ ନେଇ ସେ ଆମୋଦିତ ହେବା ସହ ନକ୍ସାରେ ଥିବା ବିଭିନ୍ନ ଯୋଜନାର ପ୍ରସଂଶା କରିଥିଲେ।

Leave A Reply

Your email address will not be published.