Odisha Link
Bridging the Missing Links in Odisha

ପୃଥିବୀ ମା’ ପାଇଁ ଦିନଟିଏ; ପ୍ରଦୂଷଣ ରୋକିବାକୁ ରୋପଣ କରନ୍ତୁ ଗଛଟିଏ!

ଓଏଲ୍‌ ବ୍ୟୁରୋ: ଆଜି ଏପ୍ରିଲ ୨୨। ଧରିତ୍ରୀ ପାଇଁ ଦିନଟିଏ। ଆଜି ବିଶ୍ୱ ପୃଥିବୀ ଦିବସ। ପୃଥିବୀକୁ ସୁରକ୍ଷା ଦେବା ପାଇଁ ଏହି ଦିବସ ପାଳନ ହୁଏ। ଏହି ତାରିଖକୁ ଆର୍ଥ ଡେ’ ବା ବିଶ୍ୱ ପୃଥିବୀ ଦିବସ ଭାବେ ପାଳନ କରାଯାଉଛି। ସମଗ୍ର ବିଶ୍ୱରେ ପରିବେଶ ସୁରକ୍ଷା ପାଇଁ ଲୋକଙ୍କୁ ସଚେତନ କରିବାକୁ ‘ପୃଥିବୀ ଦିବସ’ ପାଳନ କରାଯାଏ। ଏହି ଦିବସର ଉଦ୍ଦେଶ୍ୟ ପୃଥିବୀକୁ ରକ୍ଷା କରିବା। ଏହି ଦିନ ପରିବେଶକୁ ସୁରକ୍ଷା ଦେବା ପାଇଁ ଲୋକେ ସଂକଳ୍ପ କରିଥାନ୍ତି। ତେବେ କେମିତି ପାଳନ ହେଲା ଏହି ଦିବସ ? କିଏ ଏହି ଦିବସ ପାଳନ କରିଥିଲେ।

୧୯୬୯ ମସିହାର ଘଟଣା। ଆମେରିକା କାଲିଫର୍ଣ୍ଣିଆର ସାନ୍ତାବାରବରାରେ ୧୯୬୯ମସିହା ଜାନୁୟାରୀ ୨୮ ତାରିଖ ଦିନ ଏକ ଦୁର୍ଘଟଣା ଘଟି ୩୦ ଲକ୍ଷ ଅଶୋଧିତ ତୈଳ ସମୁଦ୍ରରେ ମିଶିଥିଲା। ଯାହାଦ୍ବାରା ୧୦ ହଜାରରୁ ଊର୍ଦ୍ଧ୍ବ ସାମୁଦ୍ରିକ ପକ୍ଷୀଙ୍କ ସମେତ ଡଲଫିନ୍‌, ସିଲ୍ ଆଦି ଅନ୍ୟ ସାମୁଦ୍ରିକ ପ୍ରାଣୀଙ୍କର ମୃତ୍ୟୁ ହୋଇଥିଲା। ପରିବେଶବିତ୍ ତଥା ତତ୍‌କାଳୀନ ଆମେରିକା ସିନେଟର ଗେଲର୍ଡ ନେଲସନଙ୍କୁ ଏହି ଘଟଣା ବ୍ୟଥିତ କରିଥିଲା।

ଏହା ପରେ ୧୯୭୦ ମସିହା ଅପ୍ରେଲ ୨୨ରେ ପ୍ରଥମେ ଆର୍ଥ-ଡ଼େ ପାଳନ କରାଯାଇଥିଲା । ପରିବେଶବିତ୍ ତଥା ଆମେରିକାର ସିନେଟର ଗେଲର୍ଡ ନେଲସନ ପ୍ରଥମେ ଏହି ଦିବସ ପାଳନ କରିଥିଲେ। ଏଥିରେ ୨ କୋଟିରୁ ଅଧିକ ଆମେରିକୀୟ ଯୋଗ ଦେଇଥିଲେ। ସେବେଠୁ ପ୍ରତିବର୍ଷ ଅପ୍ରେଲ ମାସ ୨୨ ତାରିଖକୁ ପୃଥିବୀ ଦିବସ ବା ଆର୍ଥ-ଡ଼େ ଭାବେ ପାଳନ କରାଯାଇଥାଏ। ଏହି ଦିବସ ଅବସରରେ ଗୁଗଲ ମଧ୍ୟ ପ୍ରତିଥର ଭଳି ଏଥର ସ୍ୱତନ୍ତ୍ର ଡୁଡଲ୍‌ ପ୍ରସ୍ତୁତ କରିଛି।

ପରେ ୧୯୯୦ ମସିହାରେ ପୃଥିବୀର ୧୪୧ଟି ଦେଶରେ ଏହି ଦିବସ ପାଳନ ହୋଇଥିଲା। ବର୍ତ୍ତମାନ ବିଶ୍ୱର ୧୯୨ଟି ଦେଶରେ ପୃଥିବୀ ଦିବସ ପାଳିତ ହେଉଛି। ପରିବେଶ ସୁରକ୍ଷା ପାଇଁ ସମସ୍ତଙ୍କୁ ସହାୟତାର ହାତ ବଢ଼ାଇବାକୁ ହେବ। ତେବେ ଯାଏଁ ଆମ ପରିବେଶ ସୁରକ୍ଷା ହୋଇପାରିବ। ଆଉ ଆମ ପୃଥିବୀ ସୁନ୍ଦର ହୋଇପାରିବ।

Leave A Reply

Your email address will not be published.