Odisha Link
Bridging the Missing Links in Odisha

କାଲିଠୁ ଆରମ୍ଭ ହେବ ନବୀନ ଶୋ’, ଯୋଡ଼ି ଶଙ୍ଖର ଆହ୍ୱାନ ଦେଲେ ବିଜେଡି ସୁପ୍ରିମୋ

ଓଏଲ୍‌ ବ୍ୟୁରୋ: କମ୍ପୁଛି ନିର୍ବାଚନ ମୈଦାନ। ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ନିର୍ବାଚନକୁ ନଜରରେ ରଖି ସମସ୍ତ ଛାମୁଆ ଦଳ ଆରମ୍ଭ କରି ସାରିଲେଣି ଅଙ୍କକଷା। ବର୍ତ୍ତମାନର ଶାସକ ଦଳ ବିଜୁ ଜନତା ଦଳ ପୁଣିଥରେ ଶାସନ ଗାଦିରେ ବସିବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଚେହେରାକୁ ନେଇ ନିର୍ବାଚନ ଲଢେଇ ଆରମ୍ଭ ହୋଇଛି।

ବିଧାନସଭା ସହ ଲୋକସଭା ପାଇଁ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେହିଭଳି ବିଜେପି ଓ କଂଗ୍ରେସ ମଧ୍ୟ ବିଧାନସଭା ସହ ଲୋକସଭା ପାଇଁ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିସାରିଛି। ହେଲେ ଏ ଯାଏଁ କୌଣସି ଦଳ ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା ପ୍ରକାଶ କରିନାହିଁ। ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକା ପରେ ବିଭିନ୍ନ ରାଜନୈତିକ ଦଳ ନିଜର ଶକ୍ତି ପ୍ରଦର୍ଶନ ଆରମ୍ଭ କରିଛନ୍ତି। ଏହାରି ମଧ୍ୟରେ ଆସନ୍ତାକାଲି ଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧିବଦ୍ଧ ଭାବେ ପ୍ରଚାର ମୈଦାନକୁ ଓହ୍ଲାଇବେ। ନିଜର ପାରମ୍ପରିକ ଆସନ ହିଞ୍ଜିଳିରୁ ସେ ପ୍ରଚାର କାର୍ଯ୍ୟ ଆରମ୍ଭ କରିବେ ବୋଲି ଦଳୀୟ ସୂତ୍ରରୁ ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଆସନ୍ତାକାଲି ସକାଳ ୧୦ଟା ୩୦ ମିନିଟରେ ମୁଖ୍ୟମନ୍ତ୍ରୀ ହିଞ୍ଜିଳି ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟ ନିକଟରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିବେ। ସେଠାରୁ ସଭାସ୍ଥଳକୁ ଯାଇ ଉପସ୍ଥିତ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିବେ। ଏହାପରେ ସେ ୧୧ଟା ୩୦ ମିନିଟରେ ଗଞ୍ଜାମ ଶେରଗଡ଼ ବସଷ୍ଟାଣ୍ଡରେ ନିର୍ମିତ ହେଲିପ୍ୟାଡରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ସେଠାରୁ ସେ ସଭାସ୍ଥଳକୁ ଯାଇ ଜନସଭାକୁ ସମ୍ବୋଧିତ କରିବା ପରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ ବୋଲି ଦଳୀୟ ସୂତ୍ରରୁ ସୂଚନା ମିଳିଛି।

Leave A Reply

Your email address will not be published.