Odisha Link
Bridging the Missing Links in Odisha

ଭାରତର ଚବାହାର ଚୁକ୍ତିରେ ଆମେରିକା ଅତିଷ୍ଠ କାହିଁକି? ଚୀନ-ପାକିସ୍ତାନ ଭଳି ଦେଶ ଚିନ୍ତାରେ

ଓଏଲ୍‌ ବ୍ୟୁରୋ: ଆପଣ ଯଦି ଇରାନର ଚବାହାର ବନ୍ଦରକୁ ଗୁଗୁଲ ମ୍ୟାପରେ ଦେଖିବେ ତ ସମୁଦ୍ରକୁ ଲାଗିଥିବା ଏକ ଛୋଟ ଜାଗା ଭଳି ଦେଖା ଯିବ। ଏହି ଛୋଟ ଜାଗାକୁ ନେଇ ଭାରତ-ଇରାନ ମଧ୍ୟରେ ହୋଇଥିବା ଚୁକ୍ତି ଏବେ ସାରା ବିଶ୍ବରେ ଚର୍ଚ୍ଚାର ବିଷୟ ପାଲଟିଛି। ଏନେଇ ଦୁନିଆର ବହୁତ ଗୁଡ଼ିଏ ରାଷ୍ଟ୍ରର ନିଦ ଉଡ଼ିଗଲାଣି ମଧ୍ୟ । ଏହି ଚୁକ୍ତିକୁ ନେଇ ଆମେରିକାରୁ ନେଇ ଚୀନ ଓ ଚୀନରୁ ନେଇ ପାକିସ୍ତାନ ଭଳି ଦେଶ ଗୁଡ଼ିକ ଚିନ୍ତାରେ। ଶକ୍ତିଶାଳୀ ଆମେରିକା ଏହି ଚୁକ୍ତିରେ ଅତିଷ୍ଠ ହୋଇ ଭାରତ ଉପରେ ପ୍ରତିବନ୍ଧକ ଲଗାଇବାକୁ ମଧ୍ୟ ଧମକ ଦେଇଛି। ତେବେ ଚବାହାର ଚୁକ୍ତିକୁ ନେଇ କାହିଁକି ଏତେ ଚର୍ଚ୍ଚା ହେଉଛି। ଆମେରିକା ଭଳି ଦେଶ କାହିଁକି ଚିନ୍ତାରେ ପଡ଼ିଛି ଜାଣନ୍ତୁ।

ଇରାନର ଚବାହାର ବନ୍ଦରର ଏକ ଟର୍ମିନାଲ୍‌କୁ ୧୦ ବର୍ଷ ପରିଚାଳନା କରିବା ଲାଗି ଗତକାଲି ଭାରତ ସରକାର ଏକ ଚୁକ୍ତି ସ୍ବାକ୍ଷର କରିଛନ୍ତି। ଭାରତର ଏହି ପଦକ୍ଷେପରେ ଆମେରିକା ଅସନ୍ତୋଷ ଜାହିର କରିଛି। ଇରାନ ସହ କାରବାର କଲେ କଟକଣା ଲାଗିବାର ଆଶଙ୍କା ରହିଛି ବୋଲି ଭାରତକୁ ଆମେରିକା ସତର୍କ କରାଇଦେଇଛି। ଆମେରିକା ‌ଗୃହ ବିଭାଗର ପ୍ରମୁଖ ଉପ ପ୍ରବକ୍ତା ବେଦାନ୍ତ ପଟେଲ୍‌ କହିଛନ୍ତି ଯେ ଭାରତର ବୈଦେଶିକ ନୀତି ଓ ଇରାନ ସହ ଦ୍ବିପାକ୍ଷିକ ସମ୍ପର୍କକୁ ଆମେରିକା ସମ୍ମାନ ଜଣାଉଛି। କିନ୍ତୁ ଇରାନ ବିରୋଧରେ କଟକଣା ଲାଗୁ କରିବା ଲାଗି ମଧ୍ୟ ଏହା ପ୍ରତିବଦ୍ଧ ରହିଛି। ଯେହେତୁ ଇରାନ ଉପରେ କଟକଣା ଜାରି ରହିଛି ତେଣୁ ଯେଉଁମାନେ ଏହି ଦେଶ ସହ ବ୍ୟାବସାୟିକ କାରବାର କରିବାକୁ ଚାହୁଛନ୍ତି ସେମାନେ ସେଥିରେ ଥିବା ବିପଦ ବିଷୟରେ ମଧ୍ୟ ଭଲ ଭାବେ ଜାଣିବା ଦରକାର ବୋଲି ସେ କହିଛନ୍ତି।

ଆମେରିକା ଚାହୁଁଛି ଯେ ଭାରତ-ଇରାନ ସହିତ ସମ୍ପର୍କ ମଜବୁତ ନ ହେଉ। ଆଉ ଭାରତ ତାର ଫାଇଦା ଉଠାଉ। କାରଣ ଭାରତ-ଇରାନ ମଧ୍ୟରେ ସମ୍ପର୍କ ସ୍ଥାପନା ହେଲେ ଭାରତ ଆମେରିକା ଭଳି ରାଷ୍ଟ୍ର ଉପରେ ବେଶି ନିର୍ଭରଶୀଳ ହେବ ନାହିଁ। ଆଉ ଆମେରିକାର ଶତ୍ରୁ ଦେଶ ଇରାନକୁ ଭାରତ ସହଯୋଗ କରିପାରେ ବୋଲି ବିଦେଶୀ ବିଶେଷଜ୍ଞ ମାନେ ଆକଳନ କରୁଛନ୍ତି। ଅନ୍ୟପଟେ ଭାରତର ଜଣେ ବିଶେଷଜ୍ଞ କହିଛନ୍ତି, ବିକଶିତ ଭାରତ ପାଇଁ ଏହି ଚୁକ୍ତି ବହୁତ ଗୁରୁତ୍ବପୂର୍ଣ୍ଣ। ବସୁଧୈବ କୁଟୁମ୍ବକମ୍‌ର ନାରା ସାରା ବିଶ୍ବକୁ ଦେଇ ଭାରତ ସବୁ ଦେଶ ସହିତ ସୁସମ୍ପର୍କ ସ୍ଥାପନା କରିବା ପାଇଁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଉଛି ବୋଲି କହିଛନ୍ତି।

ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ ଚବାହାର ବନ୍ଦର ଚୁକ୍ତି:
ଭାରତ ପାଇଁ ଚବାହାର ବନ୍ଦର ଚୁକ୍ତି ବେଶ୍‌ ଗୁରୁତ୍ବପୂର୍ଣ୍ଣ। କାରଣ ଏହା ଜରିଆରେ ପାକିସ୍ତାନକୁ ସମ୍ପୂର୍ଣ୍ଣ ଏଡ଼ାଇ ଆଫଗାନିସ୍ତାନ ଏବଂ ସେହି ଅଞ୍ଚଳର ଅନ୍ୟ ଦେଶଗୁଡ଼ିକ ସହ ଭାରତ ବ୍ୟବସାୟ ସମ୍ପର୍କ ବଢ଼ାଇପାରିବ। ଅନ୍ୟପକ୍ଷରେ ଚବାହାରରେ ଟର୍ମିନାଲ୍ ନିର୍ମାଣ କରିବା ଲାଗି ଚୀନ ଆଗ୍ରହ ଦେଖାଇଥିବାରୁ ସେଠାରେ ନିଜର ଉପସ୍ଥିତି ବଢ଼ାଇବା ଭାରତ ଲାଗି ଜରୁରୀ ହୋଇପଡ଼ିଛି। ଚୀନ୍‌ର ବେଲ୍‌ଟ ଆଣ୍ଡ୍‌ ରୋଡ୍‌ ପ୍ରକଳ୍ପର ବିକଳ୍ପ ଭାବେ ଚବାହାର ବନ୍ଦରକୁ ବିଚାର କରାଯାଉଛି।

ଚବାହାର ବନ୍ଦର ସହ ଭାରତ ସମ୍ପର୍କ ବହୁ ପୁରୁଣା। ୨୦୦୩ରେ ଇରାନର ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ଖଟାମି ଭାରତ ଗସ୍ତରରେ ଆସିଥିବା ବେଳେ ଏନେଇ ଆଲୋଚନା ହୋଇଥିଲା। ବନ୍ଦରର ବିକାଶ ଲାଗି ୨୦୧୩ରେ ଭାରତ ୧୦୦ ନିୟୁତ ଡଲାର ନିବେଶ କରିବାକୁ ଘୋଷଣା କରିଥିଲା। ୨୦୧୫ରେ ଏକ ବୁଝାମଣାପତ୍ର ସ୍ବାକ୍ଷର ହୋଇଥିଲା ଏବଂ ୨୦୧୬ ମେ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇରାନ ଗସ୍ତ କରି ତାହାକୁ କାର୍ଯ୍ୟକାରୀ କରିଥିଲେ। ଗୁଜରାଟର କାଣ୍ଡଲା ବନ୍ଦର ହେଉଛି ଚବାହାର ବନ୍ଦରର ସବୁଠୁ ନିକଟତମ ବନ୍ଦର।

Leave A Reply

Your email address will not be published.