Odisha Link
Bridging the Missing Links in Odisha

ଦ୍ରାବିଡ଼ଙ୍କ ସ୍ଥାନ ନେବେ କି ଏହି ଚାମ୍ପିଅନ୍‌ କୋଚ୍‌ ? ଯିଏ ଅଷ୍ଟ୍ରେଲିଆକୁ ବିଜେତା କରେଇ ସାରିଛନ୍ତି

ଓଏଲ୍‌ ବ୍ୟୁରୋ: ଜୁନ୍‌ ୨ ତାରିଖରୁ ଆରମ୍ଭ ହେବ ଟି-୨୦ ବିଶ୍ବକପ୍‌ ମହାକୁମ୍ଭ। ଜୁନ୍‌ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ ଫଟାଫଟ କ୍ରିକେଟର ମହାକୁମ୍ଭ। ଭାରତୀୟ କ୍ରିକେଟ ଦଳର ହେଡ କୋଚ୍‌ ଥିବା ରାହୁଲ ଦ୍ରାବିଡଙ୍କ ଏହା ଶେଷ ବିଶ୍ବକପ୍‌ ହେବ। କାରଣ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହୋଇ ସାରିଥିବା ବେଳେ ନୂଆ ହେଡ୍‌ କୋଚ ସନ୍ଧାନରେ ଭାରତୀୟ କ୍ରିକେଟ ବୋର୍ଡ। ସେଥିପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ପରିଷଦ ଟିମ୍‌ ଇଣ୍ଡିଆର ହେଡ୍‌ କୋଚ୍‌ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି।

ତେବେ ରାହୁଲ ଦ୍ରାବିଡଙ୍କ ପରେ କିଏ ହେବ ଟିମ୍‌ ଇଣ୍ଡିଆର କୋଚ୍‌ ତାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି। ନିଜେ ରାହୁଲ ପୁଣିଥରେ ଯଦି କୋଚ୍‌ ହେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ତେବେ ହେଡ୍‌ କୋଚ୍‌ ପଦବୀ ପାଇଁ ଆବେଦନ କରିବାକୁ ପଡ଼ିବ। ସେହିପରି ଚଳିତ ତର କୌଣସି ବିଦେଶୀ କୋଚ୍‌ ଭାରତୀୟ କ୍ରିକେଟ ଦଳର ହେଡ କୋଚ୍‌ ହୋଇ ପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ଭାରତୀୟ କ୍ରିକେଟ ଦଳର ହେଡ କୋଚ୍‌ ଦୌଡ଼ରେ ବିଦେଶୀ କୋଚ୍‌ ଭାବେ ଅଷ୍ଟ୍ରେଲିଆର ଟମ୍‌ ମୁଡି, ଜଷ୍ଟିନ ଲାଙ୍ଗର, ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ଷ୍ଟିଫେନ ଫ୍ଲେମିଂ ରହିଛନ୍ତି। ସେହିପରି ଭିଭିଏସ୍‌ ଲକ୍ଷ୍ମଣ, ବୀରେନ୍ଦ୍ର ସେହଓ୍ବାଗ ଓ ଗୌତମ ଗମ୍ଭୀର ମଧ୍ୟ ଦୌଡ଼ରେ ରହିଛନ୍ତି ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ବରିଷ୍ଠ ଅଧିକାରୀ ଜଣକ ଆହୁରି କହିଛନ୍ତି ଯେ ବିସିସିଆର କିଛି ଅଧିକାରୀ ଜଷ୍ଟିନ ଲାଙ୍ଗର, ଷ୍ଟିଫେନ ଫ୍ଲେମିଂଙ୍କ ସହିତ କୋଚ୍‌ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ତେବେ ତାଙ୍କ ମଧ୍ୟରୁ କିଏ ଭାରତୀୟ ଦଳର କୋଚ୍‌ ହେବାକୁ ହେଲେ ବିସିସିଆଇ ଜାର କରିଥିବା ବିଜ୍ଞପ୍ତି ଅନୁସାରେ ହେଡ କୋଚ୍‌ ପଦବୀ ପାଇଁ ଆବେଦନ କରିବାକୁ ପଡ଼ିବ। ଚୟନ ପ୍ରକ୍ରିୟାରେ ସାମିଲ ହେବାକୁ ପଡ଼ିବ।

ଭାରତୀୟ କ୍ରିକେଟ ଦଳର ହେଡ କୋଚ୍‌ ଆବେଦନ ପାଇଁ ସମୟ ସୀମା ମେ’ ୨୭ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ରହିଛି। ଏହି ସମୟ ମଧ୍ୟରେ ଇଚ୍ଛୁକ ବ୍ୟକ୍ତି ଆବେଦନ କରିପାରିବେ। କେଉଁ ଯୋଗ୍ୟତା ଥିଲେ ଜଣେ କ୍ରିକେଟର ଟିମ୍‌ ଇଣ୍ଡିଆ ହେଡ କୋଚ୍‌ ପାଇଁ ଆବେଦନ କରି ପାରିବ ଜାଣନ୍ତୁ।

କ’ଣ ରହିଛି ଯୋଗ୍ୟତା:
* ଆବେଦନକାରୀଙ୍କ ନିକଟରେ ୩୦ ଟେଷ୍ଟ ଓ ୫୦ଟି ଦିନିକିଆ ଖେଳିବାର ଅଭିଜ୍ଞତା ଥିବା ଦରକାର।
* ସମ୍ପୂର୍ଣ୍ଣ ମେମ୍ବର ମାନ୍ୟତା ପାଇଥିବା ଟେଷ୍ଟ ଟିମ୍‌କୁ ୨ ବର୍ଷ କୋଚିଂ ଦେଇଥିବା ଆବଶ୍ୟକ।
* ଆଇପିଏଲ୍‌ ଟିମ୍, ଇଣ୍ଟରନ୍ୟାସନାଲ ଲିଗ୍‌, ପ୍ଲାଷ୍ଟ କ୍ଲାସ ଟିମ୍, ଜାତୀୟ-ଏ ଟିମ୍‌ର କୌଣସି ଦଳକୁ ୩ ବର୍ଷରୁ ଅଧିକ କୋଚିଂ ଦେଇଥିବା ଆବଶ୍ୟକ।
*ବିସିସିଆଇର କୋଚିଂ ଲେଭଲ-୩ର ସାର୍ଟିଫିକେଟ ଥିବା ଦରକାର।
* ଆବେଦନକାରୀଙ୍କ ବୟସ ୬୦ ବର୍ଷରୁ କମ୍‌ ରହିବା ଦରକାର।

ରାହୁଲ ଦ୍ରାବିଡ ୨୦୨୧ ନଭେମ୍ବରରେ ଭାରତୀୟ ପୁରୁଷ କ୍ରିକେଟ ଦଳର ହେଡ କୋଚ୍‌ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ସେବେ ଟିମ୍‌ ଇଣ୍ଡିଆ ଟି-୨୦ ବିଶ୍ବକପ୍‌ର ଗ୍ରୁପ ଷ୍ଟେଜରୁ ବାହାରି ସାରିଥିଲା। ୨୦୨୨ ଟି-୨୦ ବିଶ୍ବକପ୍‌ରେ ଟିମ୍‌ ଇଣ୍ଡିଆ ସେମି ଫାଇନାଲ ଖେଳିଥିଲା। ୨୦୨୩ ଦିନିକିଆ ବିଶ୍ବକପ୍‌ରେ ଭାରତ ଫାଇନାଲ ଖେଳିଥିଲା। ତାପରେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଟି-୨୦ ବିଶ୍ବକପ୍‌ ପର୍ଯ୍ୟନ୍ତ ବଢ଼ାଇଥିଲା ବିସିସିଆଇ।