ଦ୍ୱନ୍ଦ୍ୱ ଭିତରେ ବିଏସ୍କେଓ୍ବାଇ କାର୍ଡ: ହିତାଧିକାରୀଙ୍କ ପାଇଁ ଜାରି ହେଲା ଟୋଲ୍ ଫ୍ରି ନମ୍ବର
ଓଏଲ୍ ବ୍ୟୁରୋ: ୨୪ ବର୍ଷ ପରେ ଓଡ଼ିଶାରେ ସରକାର ବଦଳିଛି। ତେବେ ନବୀନ ସରକାର କାର୍ଯ୍ୟକାରୀ କରିଥିବା ଯୋଜନା ଗୁଡ଼ିକ ପୂର୍ବପରି କାର୍ଯ୍ୟକାରୀ ହେବ ନା ନାଇଁ ତାକୁ ନେଇ ସମସ୍ତ ଓଡ଼ିଶାବାସୀଙ୍କ ମନରେ ପ୍ରଶ୍ନ ଉଠିଛି। ଏସବୁ ମଧ୍ୟରେ ରାଜ୍ୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ସାରା ରାଜ୍ୟରେ ବିଏସକେୱାଇ କାର୍ଡ କାର୍ଯ୍ୟକାରିତାକୁ ନେଇ ଦ୍ୱନ୍ଦ୍ୱ ଭିତରେ ସ୍ପଷ୍ଟିକରଣ ରଖିବା ସହ ଟୋଲ ଫ୍ରି ନମ୍ବର ସ୍ୱାସ୍ଥ୍ୟ ବିଭାଗ ଜାରି କରିଛି। ବିଏସକେୱାଇ କାର୍ଡ ସମ୍ବଧିତ କୌଣସି ଅସୁବିଧା ହେଲେ ହିତାଧିକାରୀ ୧୦୪ରେ ସିଧାସଳଖ ଯୋଗାଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଅନ୍ୟପଟେ, ବିଏସକେୱାଇ କାର୍ଡ କାର୍ଯ୍ୟକାରିତାକୁ ନେଇ ଦ୍ୱନ୍ଦ୍ୱ ଭିତରେ ସ୍ପଷ୍ଟିକରଣ ରଖିଛନ୍ତି ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ। ସେ କହିଛନ୍ତି ବିଏସକେୱାଇ ଯୋଜନା ପୂର୍ବ ପରି ଜାରି ରହିଛି। ବିଏସକେୱାଇକୁ ନେଇ ଘରୋଇ ହସ୍ପିଟାଲ ସହ ରାଜ୍ୟ ସରକାର କରିଥିବା ଏମଓୟୁ ଏବେ ବି ବଳବତ୍ତର ରହିଛି। ବିଏସକେୱାଇ କାର୍ଡଧାରୀଙ୍କୁ ସ୍ୱାସ୍ଥ୍ୟସେବା ମିଳୁନଥିବା ଖବର ଗୁଜବ ବୋଲି କହିଛି ସ୍ୱାସ୍ଥ୍ୟ ବିଭାଗ।
ଏହା ସହ ଆଜି ଟ୍ୱିଟ ଯୋଗେ ରୋଗୀ ସେବା ଜାରି ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଅନୁବନ୍ଧିତ ହସ୍ପିଟାଲକୁ ସ୍ବାସ୍ଥ୍ୟ ବିଭାଗ ନିର୍ଦେଶ ଦେବା ସହ ରୋଗୀ ଓ ସମ୍ପର୍କୀୟଙ୍କୁ ଭୟଭୀତ ନହେବାକୁ ପରାମର୍ଶ ଦିଆଯାଇଛି। ଜୁନ୍ ୪ରେ ବିଏସକେୱାଇ କାର୍ଡରେ ୫,୮୦୦ ରୋଗୀ ଓ ଜୁନ୍ ୫ରେ ୫,୩୮୯ ରୋଗୀ ଚିକିତ୍ସିତ ହୋଇଛନ୍ତି। ବିଏସକେୱାଇରେ ରୋଗୀ ସେବା ଜାରି ଥିବା ସ୍ବାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି।