ପରଲୋକରେ ଦର୍ପଦଳନ ରଥର ମୁଖ୍ୟ ମହାରଣା, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଓଏଲ୍ ବ୍ୟୁରୋ: ଆରପାରିରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ମୁଖ୍ୟ ମହାରଣା ତଥା ବର୍ଷିୟାନ ରଥ ନିର୍ମାଣକାରୀ କୃଷ୍ଣଚନ୍ଦ୍ର ମହାରଣା। ନିଜ ବାସଭବନ ପୁରୀ ମାର୍କେଣ୍ଡେଶ୍ୱର ସାହିରେ ଆଜି ସକାଳେ ହୃଦଘାତରେ ତାଙ୍କ ପରଲୋକ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା।
ରଥ ନିର୍ମାଣକାରୀ କୃଷ୍ଣଚନ୍ଦ୍ର ମହାରଣା ମୃତ୍ୟୁ ଖବର ଶୁଣିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି। ସେ ଟ୍ୱିଟ କରି ଲେଖିଛନ୍ତି, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ମୁଖ୍ୟ ମହାରଣା ତଥା ବର୍ଷିୟାନ ରଥ ନିର୍ମାଣକାରୀ କୃଷ୍ଣଚନ୍ଦ୍ର ମହାରଣାଙ୍କ ପରଲୋକ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି।
କୃଷ୍ଣଚନ୍ଦ୍ର ମହାରଣା ପିଲାଟି ଦିନରୁ ମହାପ୍ରଭୁଙ୍କ ରଥ ନିର୍ମାଣରେ ନିୟୋଜିତ ଥିଲେ। ଗତ ରଥ ନିର୍ମାଣ ବେଳେ ମଧ୍ୟ ପ୍ରତିଦିନ ରଥ ଖଳା ଯାଇ ସେ ଦର୍ପଦଳନ ରଥ ନିର୍ମାଣର ଅନୁଧ୍ୟାନ କରୁଥିଲେ। ସେ ନିଜ ଜୀବନ କାଳରେ ୭୦ରୁ ଊର୍ଦ୍ଧ୍ୱ ରଥ ନିର୍ମାଣ କରିଛନ୍ତି। ପ୍ରାୟ ୫ଟି ନବକଳେବର ସମ୍ପନ୍ନ କରିଛନ୍ତି।