ରାଜ୍ୟରେ ପ୍ରବଳ ବର୍ଷା, ଆସନ୍ତାକାଲି ସ୍କୁଲ ଛୁଟି
ଓଏଲ୍ ବ୍ୟୁରୋ: ରାଜ୍ୟରେ ଲାଗି ରହିଛି ଲଗାଣ ବର୍ଷା। ଯାହା ପ୍ରବାହରେ କିଛି ସ୍ଥାନରେ ବନ୍ୟା ସ୍ଥିତି ଦେଖିବାକୁ ମିଳିଲାଣି। ଏସବୁ ମଧ୍ୟରେ ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ମାଲକାନଗିରିରେ ଅତି ପ୍ରବଳ ବର୍ଷା କାରଣରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଅନେକ ଗାଁରେ ପାଣି ଜମି ରହିଛି। ତେଣୁ କୌଣସି ବିପଦ ଆଶଙ୍କାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଜିଲ୍ଲାର ସମସ୍ତ ସ୍କୁଲ ଏବଂ ଅଙ୍ଗନବାଡି ବନ୍ଦ ରଖିବାକୁ ମାଲକାନଗିରି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ଅନ୍ୟପଟେ, ମାଲକାନଗିରି ଜିଲ୍ଲାର ପୋଟେରୁ ଗ୍ରାମରେ ବନ୍ୟା ଯୋଗୁଁ ଲୋକେ ଘରର ଛାତ ଉପରେ ଆଶ୍ରୟ ନେଇଥିବା ଜଣାପଡ଼ିଛି। ଜିଲ୍ଲାର ଏମ.ଭି-୦୭,କାଙ୍ଗୁରୁକୋଣ୍ଡା,ଏମ. ଭି-୯୦, କନ୍ୟାଶ୍ରମ, ପାଙ୍ଗାମ ଓ ଏମ. ଭି-୩୭ ପୋଲ ଉପର ଦେଇ ପ୍ରବାହିତ ହେଉଥିବା ଯୋଗୁଁ ମାଲକାନଗିରି ଜିଲ୍ଲା ସଦର ମହକୁମା ସହ ମାଥିଲି, ଚିତ୍ରକୋଣ୍ଡା, କାଲିମେଳା ଓ ପଡ଼ିଆ ବ୍ଲକ ବିଛିନ୍ନ ହୋଇଛି। ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି।