Odisha Link
Bridging the Missing Links in Odisha

ଗୌତମ କହିଲେ ଟିମ୍‌ ଇଣ୍ଡିଆର ‘ଗମ୍ଭୀର’ କଥା, ରୋହିତ-ବିରାଟଙ୍କୁ ନେଇ କହିଲେ ବଡ଼ କଥା

ରୋହିତଙ୍କ ସ୍ଥାନ ନେବେ କିଏ ?

ଓଏଲ୍‌ ବ୍ୟୁରୋ: ନ୍ୟୁଜିଲାଣ୍ଡଠୁ ଟେଷ୍ଟ ସିରିଜ ହାରିବା ପରେ ସମାଲୋଚନାର ଶିକାର ହୋଇଥିଲେ ଟିମ୍‌ ଇଣ୍ଡିଆ ଖେଳାଳି ଓ କୋଚ୍‌ ଗୌତମ ଗମ୍ଭୀର। ଏବେ ଅଷ୍ଟ୍ରେଲିଆ ଗସ୍ତରେ ଯିବ ଟିମ୍‌ ଇଣ୍ଡିଆ। ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭସ୍କର ଟ୍ରଫି ପୂର୍ବରୁ ଟିମ୍‌ ଇଣ୍ଡିଆର ହେଡ୍‌ କୋଚ ଗୌତମ ଗମ୍ଭୀର ସାମ୍ବାଦିକ ସମ୍ମିଳନୀରେ ଦେଇଛନ୍ତି ବଡ଼ ସୂଚନା। ବିରାଟ କୋହଲି ଓ ରୋହିତ ଶର୍ମାଙ୍କ କ୍ୟାରିୟରକୁ ନେଇ ଦେଇଛନ୍ତି ବଡ଼ ବୟାନ। ଏଥିସହିତ ସେ କୌଣସି ଚାପରେ ନଥିବା ମଧ୍ୟ କହିଛନ୍ତି।

ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତ କରିବା ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରିଥିଲେ ଗୌତମ ଗମ୍ଭୀର। ନ୍ୟୁଜିଲାଣ୍ଡଠୁ ହାରିବା ପରେ ସମାଲୋଚନାର ଶିକାର ହୋଇଥିବା ଗମ୍ଭୀର ମିଡିଆ ସାମ୍ନାକୁ ଆସିଛନ୍ତି। ସେ କହିଛନ୍ତି, କୌଣସି ଚାପରେ ନାହିଁ। ଭାରତୀୟ ଦଳ ବର୍ଡର-ଗାଭାସ୍କରର ଟ୍ରଫିରେ ପ୍ରତ୍ୟବର୍ତ୍ତନ କରିବ। ଯଦି ରୋହିତ ପର୍ଥ ଟେଷ୍ଟରେ ଉପଲବ୍ଧ ନହୁଅନ୍ତି ତେବେ ବୁମରାହଙ୍କ ଅଧିନାୟକତ୍ବରେ ଭାରତ ପଡ଼ିଆକୁ ଓହ୍ଲାଇବ ବୋଲି କହିଛନ୍ତି ଗମ୍ଭୀର।

ରୋହିତଙ୍କ ସ୍ଥାନ ନେବେ କିଏ ?

ଯଦି ରୋହିତ ଶର୍ମା ପ୍ରଥମ ଟେଷ୍ଟରେ ଉପଲବ୍ଧ ନହୁଅନ୍ତି ତେବେ କିଏ ଓପନିଂ କରିବ ବୋଲି ଗୌତମ ଗମ୍ଭୀରଙ୍କୁ ପ୍ରଶ୍ନ କରିଥିଲେ ସାମ୍ବାଦିକ। ତାର ଜବାବରେ ଗମ୍ଭୀର କହିଛନ୍ତି ରୋହିତଙ୍କ ବିକଳ୍ପ ଭାବେ କେଏଲ ରାହୁଲ ଓ ଅଭିମନ୍ୟୁ ଇଶ୍ବରନ୍‌ ଅଛନ୍ତି। ରାହୁଲଙ୍କୁ ନେଇ ବଡ଼ ବୟାନ ମଧ୍ୟ ଦେଇଛନ୍ତି ଗମ୍ଭୀର। ସେ କହିଛନ୍ତି, ରାହୁଲଙ୍କ ଭଳି ଖେଳାଳି କେଉଁ ଟିମ୍‌ରେ ଅଛନ୍ତି, ମୋତେ ଜଣା ନାହିଁ। କାରଣ ରାହୁଲ ଓପନିଂ ହେଉ ବା ମିଡିଲ ଅର୍ଡର ବା ୬ ନମ୍ବରରେ ବି ବ୍ୟାଟିଂ କରିବାର ଦକ୍ଷତା ରଖିଛନ୍ତି। ଏହିସବୁ କାମ କରିବାକୁ ହେଲେ ଆପଣଙ୍କୁ ବହୁତ ପ୍ରତିଭାର ଅଧିକାରୀ ହେବାକୁ ପଡ଼ିଥାଏ। ଯାହା ରାହୁଲ କରି ଆସୁଛନ୍ତି ବୋଲି ଗମ୍ଭୀର କହିଛନ୍ତି।

ରୋହିତ-ବିରାଟଙ୍କ ଫର୍ମ ଚିନ୍ତା:
ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଫର୍ମକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଗୌତମ ଗମ୍ଭୀର। ସେ କହିଛନ୍ତି ରୋହିତ ଓ ବିରାଟଙ୍କ ଫର୍ମକୁ ନେଇ କୌଣସି ଚିନ୍ତା ନାହିଁ। ଦୁଇ ଖେଳାଳି ବିଗତ ଦିନରେ ଅବିଶ୍ବସନୀୟ ରୂପରେ ଦମଦାର ପ୍ରଦର୍ଶନ କରି ଆସୁଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଯାହା ବି ହେଲା ତା ପରଠୁ ଭାରତୀୟ ଦଳର ଡ୍ରେସିଂ ରୁମରେ କ୍ରିକେଟର ଭୋକ ବଢ଼ି ଯାଇଛି।

ବର୍ଡର-ଗାଭାସ୍କର ଟ୍ରଫିର ସୂଚୀ:
ପ୍ରଥମ ଟେଷ୍ଟ: ପର୍ଥ – ନଭେମ୍ବର ୨୨-୨୬
ଦ୍ବିତୀୟ ଟେଷ୍ଟ: ଆଡିଲେଡ – ଡିସେମ୍ବର ୬-୧୦ (ଦିବାରାତ୍ର)
ତୃତୀୟ ଟେଷ୍ଟ: ଗାବା – ଡିସେମ୍ବର ୧୪-୧୮
୪ର୍ଥ ଟେଷ୍ଟ: ମେଲବର୍ଣ୍ଣ – ଡିସେମ୍ବର ୨୬-୩୦
୫ମ ଟେଷ୍ଟ: ସିଡନୀ – ଜାନୁଆରୀ ୩-୭

Leave A Reply

Your email address will not be published.