‘ERSS ଯାନ ସୁରକ୍ଷା ରଥ, ଅପରାଧମୁକ୍ତ ଅଞ୍ଚଳ ଗଢ଼ିବା ଆମର ଲକ୍ଷ୍ୟ’
ଓଏଲ୍ ବ୍ୟୁରୋ: ପ୍ରାଥମିକ ଚିକିତ୍ସା, ଆମ୍ବୁଲାନ୍ସ ଓ ଫାୟାର ସେବା ସେବା କ୍ଷେତ୍ରରେ ଆରମ୍ଭ ହେଲା ନୂଆ ଅଧ୍ୟାୟ। କମିଶନରେଟ ପୁଲିସ ପକ୍ଷରୁ ଆରମ୍ଭ ହେଲା ନୂତନ ସେବା ERSS। କମିଶନରେଟ ପୁଲିସ କାର୍ଯ୍ୟାଳୟରେ ସ୍ବତନ୍ତ୍ର ଉତ୍ସବରେ ଯୋଗ ଦେଇ ERSSର ଶୁଭ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରାଥମିକ ଚିକିତ୍ସା, ଆମ୍ବୁଲାନ୍ସ ଓ ଫାୟାର ସେବା ଯୋଗାଇବା ପାଇଁ ଆପାତକାଳୀନ ପ୍ରତିକ୍ରିୟା ସହାୟତା ପ୍ରଣାଳୀ (ERSS) ଲୋକାର୍ପିତ ହୋଇଛି। କଟକ ଓ ଭୁବନେଶ୍ବର କମିଶନରେଟ୍ ଅଞ୍ଚଳରେ ସୁବିଧା ମିଳିବ।
ଆପାତକାଳୀନ ପ୍ରତିକ୍ରିୟା ସହାୟତା ପ୍ରଣାଳୀ (ERSS) ଲୋକାର୍ପିତ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ERSS ଯାନ ଗୋଟିଏ ଗୋଟିଏ ସୁରକ୍ଷା ରଥ। ନ୍ୟାୟର, ଶୃଙ୍ଖଳାର ଓ ଭୟମୁକ୍ତ ବାତାବରଣର ପ୍ରତୀକ। ERSS ଯାନ ଗଡ଼ିଲେ ଅସାଧୁ ଲୋକଙ୍କ ମନରେ ଛନକା ପଶିବ। ନିର୍ଭୟା କାଣ୍ଡ ପରି ଘଟଣା ଏଡ଼ାଇବାକୁ ଏହା ସହାୟକ ହେବ। ଅପରାଧମୁକ୍ତ ଅଞ୍ଚଳ ଗଢ଼ିବା ଆମର ଲକ୍ଷ୍ୟ। ଭୁବନେଶ୍ବରରେ ୨୨ଟି ଓ କଟକରେ ୮ଟି ଗାଡ଼ି ଗଡ଼ିବ। ପୁଲିସ ବାହିନୀକୁ ଆହୁରି ସଶକ୍ତ କରାଯିବ। ଗୃହ ବିଭାଗରେ ଖୁବଶୀଘ୍ର ୧୦ ହଜାର ପଦବୀ ପୂରଣ ହେବ। ପ୍ରକ୍ରିୟା ଆରମ୍ଭ କରି ତୁରନ୍ତ ପଦବୀ ପୂରଣ ହେବ।