ପାକିସ୍ତାନରୁ ସ୍ଥାନାନ୍ତରିତ ହେବ କି ଚାମ୍ପିୟନ୍ସ ଟ୍ରଫି? ଆସିଲା ବଡ଼ ଖବର
ଓଏଲ ବ୍ୟୁରୋ: ଚାମ୍ପିୟନ୍ସ ଟ୍ରଫି ୨୦୨୫କୁ ନେଇ ଆସିଲା ବଡ଼ ଖବର। ଫେବ୍ରୁଆରୀ ୧୯ରୁ ଚାମ୍ପିୟନ୍ସ ଟ୍ରଫି ୨୦୨୫ ଆରମ୍ଭ ହେବାକୁ ଥିବାବେଳେ ଏପର୍ଯ୍ୟନ୍ତ ପାକିସ୍ତାନର ୩ଟି ଷ୍ଟାଡିୟମ୍ରରେ ସରିନି କାମ। ଯାହାକୁ ନଜରର ରଖି ଦରକାର ପଡ଼ିଲେ ପାକିସ୍ତାନ ବାହାରେ ଚାମ୍ପିୟନ୍ସ ଟ୍ରଫିର ସମସ୍ତ ମ୍ୟାଚ ଖେଳାଯିବ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।
ଚାମ୍ପିୟନ୍ସ ଟ୍ରଫିର ହୋଷ୍ଟ ପାକିସ୍ତାନ ହୋଇଥିବା ବେଳେ ଏହି ଟୁର୍ଣ୍ଣାମେଣ୍ଟ ହାଇବ୍ରିଡ ମୋଡରେ ଖେଳାଯିବ ବୋଲି ପୂର୍ବରୁ ଧାର୍ଯ୍ୟ ହୋଇ ସାରିଛି। ପାକିସ୍ତାନର ୩ଟି ଷ୍ଟାଡିୟମ୍ରେ ଓ ୟୁଏଇର ଗୋଟିଏ ଷ୍ଟାଡିୟମରେ ମ୍ୟାଚ୍ ହେବ ବୋଲି ଧାର୍ଯ୍ୟ ହୋଇଛି। ଭାରତ ପାକିସ୍ତାନ ନଯାଇ ତାର ସମସ୍ତ ମ୍ୟାଚ ୟୁଏଇରେ ଖେଳିବ।
ସବୁଠୁ ବଡ଼କଥା ହେଲା ମୁଣ୍ଡ ଉପରେ ଟୁର୍ଣ୍ଣାମେଣ୍ଟ ଥିବାବେଳେ ଏକ ଖବର ସାମ୍ନାକୁ ଆସିଛି ଯେ ପାକିସ୍ତାନର ୩ଟି ଷ୍ଟାଡିୟମରେ ଏବେ ବି କାମ ଜାରି ରହିଛି। ମ୍ୟାଚ ପାଇଁ ପଡ଼ିଆ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇନାହିଁ। ଏହାକୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡ ଉପରେ ଖପ୍ପା ହୋଇଛି ଆଇସିସି।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁୁଯାୟୀ, ନିର୍ଦ୍ଧାରିତ ସମୟ ଭିତରେ ଯଦି ପିସିବି ଷ୍ଟାଡିୟମ୍ କାମ ଶେଷ କରି ପାରିବ ନାହିଁ, ତେବେ ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ ପାକିସ୍ତାନରୁ ସ୍ଥାନାନ୍ତର ହୋଇଯିବ। ୟୁଏଇରେ ସମସ୍ତ ମ୍ୟାଚ ସ୍ଥାନାନ୍ତରିତ ହୋଇପାରେ। ଅନ୍ୟପଟେ ପିସିବିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଷ୍ଟାଡିୟମ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ। ବାସ କାମରେ ଶେଷ ସ୍ପର୍ଶ ଦିଆଯାଉଛି।