Odisha Link
Bridging the Missing Links in Odisha

ଚମ୍ପିଆନ୍ସ ଟ୍ରଫି: କେବେ ଘୋଷଣା ହେବ ଭାରତୀୟ ଦଳ? ଛିଣ୍ଡୁନି ଅଙ୍କ…

ଓଏଲ‌ ବ୍ୟୁରୋ: ଫେବୃଆରୀ ୧୯ ତାରିଖରୁ ଆରମ୍ଭ ହେବ ଚମ୍ପିଆନ୍ସ ଟ୍ରଫି ୨୦୨୫। ଏଥିପାଇଁ ୮ଟି ଦଳ ମଧ୍ୟରୁ ୫ ଟି ଦଳ ନିଜର ଟିମ୍‌ ଘୋଷଣା କରି ସାରିଛନ୍ତି। କେବଳ ଆୟୋଜକ ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଓ ଭାରତୀୟ କ୍ରିକେଟ ଦଳ ନିଜ ଟିମ୍‌ ଏପର୍ଯ୍ୟନ୍ତ ଘୋଷଣା କରିନାହାନ୍ତି। ଟିମ୍‌ ଘୋଷଣା ପାଇଁ ଶେଷ ତାରିଖ ଥିଲା ୧୨। ହେଲେ ବିସିସିଆଇ ଟିମ୍‌ ଘୋଷଣା ପାଇଁ ଆଇସିସି ନିକଟରେ ଅଧିକ ସମୟ ଦାବି କରିଛି। ସେହିପରି ଆୟୋଜକ ପାକିସ୍ତାନ ମଧ୍ୟ ଏପର୍ଯ୍ୟନ୍ତ ନିଜ ଟିମ୍‌ ଘୋଷଣା କରିନାହିଁ। ତେବେ ଟିମ୍‌ ଇଣ୍ଡିଆ କେବେ ଘୋଷଣା କରିବ ତାର ଖେଳାଳିଙ୍କ ନାମ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି।

ତେବେ ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଲାଙ୍କ ଏକ ବୟାନ ଅନୁସାରେ, ଚମ୍ପିଆନ୍ସ ଟ୍ରଫି ପାଇଁ ଟିମ୍‌ ଇଣ୍ଡିଆର ଘୋଷଣା ଖୁବଶୀଘ୍ର ହେବ। ଆସନ୍ତା ୧୮ କିମ୍ବା ୧୯ ତାରିଖରେ ୧୫ ଜଣିଆ ଟିମ୍‌ ଘୋଷଣା ହୋଇପାରେ। ତେବେ ତା ପୂର୍ବରୁ ଆଉ ଏକ ବଡ଼ ପ୍ରଶ୍ନ ଭାରତୀୟ କ୍ରିିକେଟ ବୋର୍ଡ ଆଗରେ ଠିଆ ହୋଇଛି। ଦିନିକିଆ ଦଳର ଅଧିନାୟକ କିଏ ହେବ ? ସେନେଇ ମଧ୍ୟ ସସ୍‌ପେନ୍ସ ଜାରି ରହିଛି। ଖରାଫ ଫର୍ମ ଦେଇ ଗତି କରୁଥିବା ରୋହିତ ଶର୍ମାଙ୍କୁ ଯଦି ଦଳରେ ସାମିଲ ନକରାଯାଏ ତେବେ ତାଙ୍କ ବଦଳରେ କିଏ ଅଧିନାୟକ ରହିବ ସେ ନେଇ ବିସିସିଆଇ ବିଚାର ବିମର୍ଶ କରୁଥିବା ସୂଚନା ରହିଛି।

ଅନ୍ୟପଟେ ରବିବାର ବିସିସିଆଇ ଓ ଅଧିନାୟକ ରୋହିତ ଶର୍ମାଙ୍କ ମଧ୍ୟରେ ଏକ ରିଭ୍ୟୁ ମିଟିଂ ହୋଇଥିଲା। ସେଥିରେ ରୋହିତ ଶର୍ମା ଆଗାମୀ ଚମ୍ପିଆନ୍ସ ଟ୍ରଫି ପର୍ଯ୍ୟନ୍ତ ଭାରତୀୟ ଦଳର ଅଧିନାୟକ ରହିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏଥିସହିତ ବୋର୍ଡ ନୂତନ ଅଧିନାୟକ ଖୋଜିବା ଆରମ୍ଭ କରୁ। ଯଦି ବୋର୍ଡକୁ ଆଗାମୀ ଦିନରେ ଅଧିନାୟକ ପଦ ପାଇଁ ସଠିକ୍‌ ଖେଳାଳି ମିଳିଯିବ। ତେବେ ସେ ଅଧିନାୟକ ପଦ ଛାଡିଦେବେ ବୋଲି ରୋହିତ କହିଥିବା ସୂଚନା ରହିଛି।

ତେବେ ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁସାରେ, ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ ଏବଂ ଚମ୍ପିଆନ୍ସ ଟ୍ରଫି ଲାଗି ଏକାସାଙ୍ଗେ ଟିମ୍‌ର ଘୋଷଣା ହୋଇପାରେ। ଖରାପ ଫର୍ମ ଦେଇ ଗତି କରୁଥିବା ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଦିନିକିଆ ଟିମ୍‌ରେ ସାମିଲ କରାଯାଇପାରେ। ଏହାସହିତ ଉଭୟଙ୍କ ଆଗାମୀ ଭବିଷ୍ୟତ ଉପରେ ମଧ୍ୟ ବିସିସିଆଇ କଡ଼ା ନଜର ରଖିଛି।

ଫେବୃଆରୀ ୧୯ ତାରିଖରୁ ପାକିସ୍ତାନ ଏବଂ ଦୁବାଇରେ ଆରମ୍ଭ ହେବାକୁ ଯାଉଛି ଚମ୍ପିଆନ୍ସ ଟ୍ରଫି ୨୦୨୫। ଭାରତର ଅଭିଯାନ ଫେବୃଆରୀ ୨୦ରୁ ଆରମ୍ଭ ହେବ। ଦୁବାଇରେ ବାଂଲାଦେଶ ସହିତ ଭାରତର ମୁକାବିଲା ରହିଛି। ଏହାପରେ୨୩ରେ ଭାରତ-ପାକିସ୍ତାନ ଟକ୍କର । ମାର୍ଚ୍ଚ ୨ରେ ନ୍ୟୁଜିଲାଣ୍ଡ ଏବଂ ଭାରତ ମଧ୍ୟରେ ମୁକାବିଲା ରହିଛି।

ଗ୍ରୁୁପ୍‌ ଏରେ ଭାରତ, ବାଂଲାଦେଶ, ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ଥିବା ବେଳେ ଗ୍ରୁପ୍‌ ବି ରେ ଆଫଗାନିସ୍ତାନ, ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ଦଳ ରହିଛି। ଏବେ ସୁଦ୍ଧା ଭାରତ, ପାକିସ୍ତାନ ଓ ଦକ୍ଷିଣ ଆଫ୍ରିିକା ଦଳକୁ ଛାଡ଼ି ଦେଲେ ଆଉ ସମସ୍ତ ଦଳ ନିଜ ନିଜର ଟିିମ୍‌ ଘୋଷଣା କରି ସାରିଛନ୍ତି।