Odisha Link
Bridging the Missing Links in Odisha

ରଣଜୀ ଟ୍ରଫିରେ ବି ଚାଲିଲାନି ରୋହିତଙ୍କ ବ୍ୟାଟ, ଗିଲ୍-ଯଶ୍ବସୀ ବଢ଼ାଇଲେ ଗମ୍ଭୀରଙ୍କ ଚିନ୍ତା

ଓଏଲ୍‌ ବ୍ୟୁରୋ: ନିକଟରେ ଅଷ୍ଟ୍ରେଲିଆରେ ଶେଷ ହୋଇଥିବା ବର୍ଡର-ଗାଭାସ୍କର ଟ୍ରଫିରେ ଭାରତୀୟ ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା। ତାହାକୁ ନଜରରେ ରଖି ବିସିସିଆଇ ଟିମ୍‌ ଇଣ୍ଡିଆର ଖେଳାଳିଙ୍କୁ ଘରୋଇ କ୍ରିକେଟ ଖେଳିବାକୁ କହିଥିଲା। ଆଜିଠୁ ଆରମ୍ଭ ହୋଇଥିବା ରଣଜୀ ଟ୍ରଫିର ୨ୟ ରାଉଣ୍ଡରେ ବହୁ ହେଭିଓ୍ବେଟ୍‌ ଖେଳାଳି ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି। ବିସିସିଆଇ ଦ୍ବାରା ଜାରି ହୋଇଥିବା ନିିର୍ଦ୍ଦେଶ ପରେ ରୋହିତ ଶର୍ମା, ଯଶ୍ବସୀ ଜୟଶଓ୍ବାଲ, ଋଷଭ ପନ୍ତ ଓ ଶୁଭମନ ଗିଲଙ୍କ ଭଳିି ଷ୍ଟାର ଖେଳାଳି ରଣଜୀ ଟ୍ରଫି ଖେଳୁଛନ୍ତି। ସବଠୁ ବଡ଼କଥା ହେଲା ଖରାପ ଫର୍ମ ଦେଇ ଗତି କରୁଥିବା ରୋହିତ ଶର୍ମା ୨୦୧୫ ମସିହା ପରେ ପ୍ରଥମ ଥର ପାଇଁ ରଣଜୀ ଟ୍ରଫି ଖେଳୁଛନ୍ତି।

ରୋହିତ ଶର୍ମା ମୁମ୍ବାଇ ବିପକ୍ଷ ମ୍ୟାଚରେ ପଡ଼ିଆକୁ ଓହ୍ଲାଇଛନ୍ତି। ହେଲେ ପୁଣି ଥରେ କ୍ରିକେଟ ପ୍ରେମୀଙ୍କୁ ନିରାଶ କରିିଛନ୍ତି ରୋହିତ ଶର୍ମା। ହିଟ୍‌ ମ୍ୟାନ୍‌ ମାତ୍ର ୧୯ଟି ବଲ୍‌ ଖେଳି ୪ ରନ୍‌ କରି ପ୍ୟାଭିଲିଅନ୍‌ ଫେରିଛନ୍ତି। ସେହିପରି ଯଶ୍ବସୀ ଜୟଶଓ୍ବାଲ ମାତ୍ର ୪ ରନ୍‌ କରି ପ୍ୟାଭିଲିଅନ ଫେରିଛନ୍ତି।

ଅନ୍ୟପଟେ ଖେଳାଯାଉଥିବା ପଞ୍ଜାବ-କର୍ଣ୍ଣାଟକ ମ୍ୟାଚରେ ନୂଆକରି ଭାରତୀୟ ଦିନିକିଆ ଦଳର ଉପଅଧିନାୟକ ହୋଇଥିବା ଶୁଭମନ ଗିଲ ମାତ୍ର ୪ ରନ କରି ଆଉଟ୍‌ ହୋଇଛନ୍ତି। ସେହିପରି ଋଷଭ ପନ୍ତ ସୌରାଷ୍ଟ୍ର-ଦିଲ୍ଲୀ ମ୍ୟାଚରେ ବଡ଼ ସ୍କୋର କରିବାରେ ବିଫଳ ହୋଇଛନ୍ତି। ମାତ୍ର ୧ ରନ୍‌ କରି ଆଉଟ୍‌ ହୋଇଛନ୍ତି ପନ୍ତ।

ସୂଚନାଥାଉକି, ବିରାଟ କୋହଲି ଓ କେଏଲ୍‌ ରାହୁଲ ରଣଜୀ ଟ୍ରଫିରୁ ଦୂରେଇ ରହିଛନ୍ତି। କୋହଲି ଆହତଜନିତ ସମସ୍ୟା ଦେଇ ଗତି କରୁଥିବା ବେଳେ ରାହୁଲଙ୍କ କୁହୁଣୀରେ ଆଘାତ ଲାଗିଥିବା ଯୋାଗୁଁ ରଣଜୀ ଟ୍ରଫିରୁ ଦୂରରେ ରହିଛନ୍ତି। ଜାନୁଆରୀ ୩୦ ତାରିଖରୁ ଆରମ୍ଭ ହେବାକୁ ଥିବା ମ୍ୟାଚରେ ଦୁଇ ଖେଳାଳି ଉପଲବ୍ଧ ହେବେ ବୋଲି ସୂଚନା ରହିଛି।

Leave A Reply

Your email address will not be published.