Odisha Link
Bridging the Missing Links in Odisha

ବିଇଏମସି ବୈଠକରେ ଗଣ୍ଡୋଗଳ: କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଚିଠି ଲେଖିଲେ କମିଶନର

ଓଏଲ୍‌ ବ୍ୟୁରୋ: ବ୍ରହ୍ମପୁର ମହାନଗର ନିଗମର ସାଧାରଣ ବୈଠକରେ ହଟ୍ଟଗୋଳ। ବିଇଏମସି ବୈଠକରେ ଦୁଇ ଗୋଷ୍ଠୀ ହୋଇଛନ୍ତି ମୁହାଁମୁହିଁ। ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଘଟଣାରେ ବ୍ରହ୍ମପୁର ମେୟରଙ୍କୁ ଚିଠି ଲେଖିଲେ କମିଶନର। କର୍ପୋରେଟରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି। ବୈଠକରେ ଖରାପ ବ୍ୟବହାର ପାଇଁ କାର୍ଯ୍ୟାନୁଷ୍ଠାନ ନେବାକୁ ଚିଠି ଲେଖିଛନ୍ତି।

ସୂଚନା ଅନୁସାରେ, ଗତକାଲି ବ୍ରହ୍ମପୁର ମହାନଗର ନିଗମର ସାଧାରଣ ବୈଠକରେ ପ୍ରଥମେ ଷ୍ଟାଣ୍ଡିଂ କମିଟି ନିର୍ବାଚନକୁ ନେଇ ଦୀର୍ଘ ସମୟ ଧରି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ହୋହାଲ୍ଲା ହୋଇଥିଲା। ଏହା ପରେ ସହରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ନେଇ ଗୋଟିଏ ଗୋଷ୍ଠୀ ବିଇଏମସି କମିଶନରଙ୍କୁ ସିଧାସଳଖ ଟାର୍ଗେଟ କରି କକ୍ଷତ୍ୟାଗ କରିବାକୁ କହିଥିଲେ।

କର୍ପୋରେଟରଙ୍କ ଠାରୁ ଏଭଳି ଶୁଣିବା ପରେ କମିଶନର ବୈଠକରୁ ଉଠି ଚାଲିଯିବା ପରେ ବୈଠକ ଅଧାରୁ ବନ୍ଦ ହୋଇଥିଲା। ପରେ ପୁଣି ବୈଠକ ଦାବିରେ କାର୍ଯ୍ୟାଳୟରେ ଦୀର୍ଘ ସମୟ ଧରି ଧାରଣାରେ ବସିଥିଲେ ଅନ୍ୟ ଗୋଷ୍ଠୀର ଏକାଧିକ କର୍ପୋରେଟର। ସେପଟେ କର୍ପୋରେଟରଙ୍କ ଏଭଳି ବ୍ଯବହାର ଗୃହର ମର୍ଯ୍ୟାଦାକୁ ହାନୀ କରିବାରୁ କକ୍ଷତ୍ୟାଗ କଲି ବୋଲି କହିଛନ୍ତି ବ୍ରହ୍ମପୁର କମିଶନର।