Odisha Link
Bridging the Missing Links in Odisha

ବିଷ୍ଣୁପଦଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର, ହାଇକୋର୍ଟରେ ଜବାବ ଦାଖଲ

ଓଏଲ୍‌ ବ୍ୟୁରୋ: ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ହାଇକୋର୍ଟରୁ ମିଳିଲା ସାମୟିକ ଆଶ୍ବସ୍ତି। ବିଷ୍ଣୁପଦଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନକୁ ବାରଣ କରିଛନ୍ତି ହାଇକୋର୍ଟ। ତାଙ୍କ ପତ୍ନୀ ଏବଂ ଝିଅଙ୍କୁ ମଧ୍ୟ ମିଳିଲା ଆଶ୍ବସ୍ତି। ସିବିଆଇ ଚଢ଼ାଉକୁ ବିରୋଧ କରି ଦାଏର ହୋଇଛି ମାମଲା। ସରକାରଙ୍କ ପକ୍ଷରୁ ଜବାବ ଦାଖଲ ହୋଇଥିବାବେଳେ ସମୟ ନେଲେ ବିଷ୍ଣୁପଦ ସେଠୀ। ଆସନ୍ତା ୧୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ।

ସୂଚନାନୁଯାୟୀ, ଭୁବନେଶ୍ବରର ଏକ ହୋଟେଲ ନିକଟରେ କାର ଭିତରେ ଲାଞ୍ଚ କାରବାର ପାଇଁ ଡିଲ ଚାଲିଥିବା ବେଳେ ସିବିଆଇ ଚଢାଉ କରିଥିଲା। କାରରୁ ସିବିଆଇ ୧୦ ଲକ୍ଷ ଟଙ୍କା ଜବତ କରିଥିଲା। ଏହି ଅଭିଯୋଗରେ ବ୍ରିଜ୍ ଆଣ୍ଡ୍ ରୁଫ୍‌ ଗ୍ରୁପ୍ ଜେନେରାଲ ମ୍ୟାନେଜର ଚଞ୍ଚଲ ମୁଖାର୍ଜୀଙ୍କ ସହ ‘ଆଦିତ୍ୟଦେବ ଇନ୍‌ଫ୍ରାଟେକ୍‌ ପ୍ରାଇଭେଟ ଲିମିଟେଡ’ ମାଲିକ ଦେବଦତ୍ତ ମହାପାତ୍ର ଓ ପେଣ୍ଟା ଏ ଷ୍ଟୁଡିଓ ପ୍ରାଇଭେଟ୍‌ ଲିମିଟେଡ୍‌ କନ୍‌ଷ୍ଟ୍ରକ୍ସନ ସଂସ୍ଥାର ନିର୍ଦ୍ଦେଶକ ସନ୍ତୋଷ ମହାରଣାଙ୍କୁ ସିବିଆଇ ଗିରଫ କରିଥିଲା।

ଦେଢଶହ କୋଟିର ଏକ ଟେଣ୍ଡର ହାତେଇବାକୁ ଡିଲ ବେଳେ ଏମାନଙ୍କୁ ସିବିଆଇ ଧରିଥିଲା। ଏହି ଟେଣ୍ଡର ଘୋଟାଲାରେ ଲିଙ୍କ ଥିବା ଅଭିଯୋଗରେ ଆଇଏଏସ୍‌ ଅଫିସର ବିଷ୍ଣୁପଦ ସେଠୀଙ୍କୁ ସିବିଆଇର ସମନ କରିଥିଲା। ସିବିଆଇ ସମନ ପରେ ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ରାଜ୍ୟ ସରକାର ଦାୟିତ୍ବ ମୁକ୍ତ କରିଥିଲେ।