ଗୋଟିଏ ମାସରେ ଗଲାଣି ୫୦୫ ଜୀବନ, ସଡ଼କ ଦୁର୍ଘଟଣା ନେଇ ଗୃହରେ ରଖିଲେ ମନ୍ତ୍ରୀ..

ଓଏଲ୍ ବ୍ୟୁରୋ: ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ପ୍ରଶ୍ନକାଳରେ ଦୁର୍ଘଟଣା ଜନିତ ମୃତ୍ୟୁ ରିପୋର୍ଟ ଉପସ୍ଥାପିତ କରାଯାଇଛି। ୨୦୨୪-୨୫ ଆର୍ଥିକ ବର୍ଷରେ କେତେ ଦୁର୍ଘଟଣା ହୋଇଛି? କେତେ ଜଣଙ୍କ ମୃତ୍ୟୁ ହୋଇଛି ଓ ଦୁର୍ଘଟଣାରେ କେତେ ଜଣ ଦିବ୍ୟାଙ୍ଗ ପାଲଟିଛନ୍ତି? ଏହାକୁ ନେଇ ଗୃହରେ ଉତ୍ତର ମାଗିଥିଲେ ବିଜେଡି ବିଧାୟକ ଅରୁଣ ସାହୁ। ଖାଲି ସେତିକି ନୁହେଁ, ସଡ଼କ ସୁରକ୍ଷା ସପ୍ତାହ ପାଳନରେ ଚଳିତବର୍ଷ କେତେ ଅର୍ଥ ବ୍ୟୟ ହୋଇଛି? ସଡ଼କ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ ପାଇଁ କେଉଁ କେଉଁ ସଂସ୍ଥାକୁ କେତେ ଅର୍ଥ ପ୍ରଦାନ କରାଯାଇଛି ତାହାର ମଧ୍ୟ ତଥ୍ୟ ମାଗିଥିଲେ ବିଜେଡି ବିଧାୟକ ଅରୁଣ ସାହୁ।
ବିଧାୟକଙ୍କ ପ୍ରଶ୍ନରେ ଗୃହରେ ଲିଖିତ ଉତ୍ତର ରଖିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ଯାହା ଅତ୍ୟନ୍ତ ଉଦବେଗଜନକ। ଗତ ଜାନୁଆରୀରେ ରାଜ୍ୟରେ ସଡ଼କ ସୁରକ୍ଷା ମାସ ପାଳନ କରାଯାଇଥିଲା। ଗୋଟେ ମାସରେ ୮୪୮ ଦୁର୍ଘଟଣା ହୋଇଛି। ଗୋଟିଏ ମାସରେ ୫୦୫ ଜଣଙ୍କ ମୁଣ୍ଡ ଯାଇଛି। ସଡ଼କ ସୁରକ୍ଷା ସଚେତନତା ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିଛନ୍ତି ଏକ କୋଟି ୮୯ ଲକ୍ଷ ୬୬ ହଜାର ୬୯୪ ଟଙ୍କା।
୨୦୨୫ରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାର ବିଭିନ୍ନ ଆର୍ଟିଓକୁ ୧୩ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଓଡ଼ିଶାରେ ବିଗତ ୫ ବର୍ଷରେ ହାରାହାରି ବାର୍ଷିକ ସଡ଼କ ଦୁର୍ଘଟଣା ସଂଖ୍ୟା ୧୧ ହଜାର ୩୬୬ରେ ପହଞ୍ଚିଛି। ସେହିଭଳି ଦୁର୍ଘଟଣାରେ ଆହତ ସଂଖ୍ୟା ହାରାହାରି ୧୦ ହଜାର ୮ ରହିଛି। ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ହାରାହାରି ୫ ହଜାର ୪୩୩ ରହିଛି।