Odisha Link
Bridging the Missing Links in Odisha

ଆଜି ପବିତ୍ର ପଣା ସଂକ୍ରାନ୍ତି: ଶ୍ରୀମନ୍ଦିରରେ ସ୍ଵତନ୍ତ୍ର ନୀତିକାନ୍ତି

ଓଏଲ୍ ବ୍ୟୁରୋ: ଆଜି ପବିତ୍ର ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି। ଆଜିର ଦିନକୁ ଉତ୍କଳୀୟ ନବବର୍ଷ ଭାବେ ପାଳନ କରାଯାଉଥିବା ବେଳେ ଏହି ଅବସରରେ ମଧ୍ୟ ଶ୍ରୀମନ୍ଦିରରେ ବିଶେଷ ନୀତି କାନ୍ତି ଅନୁଷ୍ଠିତ ହୋଇଥାଏ। ଵିଧି ଅନୁସାରେ ଶ୍ରୀମନ୍ଦିରରେ ସକାଳ ଧୂପ ପରେ ଶ୍ରୀଜଗନ୍ନାଥଙ୍କ ବାଡ଼ରୁ ଆଜ୍ଞା ମାଳ ମହାବୀରଙ୍କ ନିକଟକୁ ବିଜେ କରାଯାଇଥାଏ।

ଶ୍ରୀମନ୍ଦିର ଚାରିଦ୍ୱାରରେ ଥିବା ମହାବୀରଙ୍କ ସମେତ ଶ୍ରୀଜଗନ୍ନାଥ ବଲ୍ଳଭ ଓ ଦରିଆ ମହାବୀରଙ୍କ ନିକଟକୁ ମଧ୍ୟ ଆଜ୍ଞା ମାଳ ବିଜେ କରାଯାଏ।

ଅନ୍ୟ ପକ୍ଷରେ ଶ୍ରୀକ୍ଷେତ୍ରର ଜାଗା ଆଖଡାରେ ମହାବୀରଙ୍କ ପୂଜାର୍ଚ୍ଚନା ସହ ପଣା ଓ ଛତୁଆ ଭୋଗ କରାଯିବାର ନଜିର ରହିଛି। ଜାଗା ଆଖଡାରେ ଆଜି ଦିନରେ ମଲ୍ଲଯୋଦ୍ଧା ଓ ଯୁବକ ମାନେ ନୂତନ କୌପିନି ପରିଧାନ କରି ମାଟିକୁସ୍ତି ସହ ମଲ୍ଲବିଦ୍ୟା, ବ୍ୟାୟମ କରିବାର ଵିଧି ରହିଅଛି। ସେହିପରି ଆଜିଠାରୁ ମଧ୍ୟ ନୂତନ ପଞ୍ଜିକା ପ୍ରଚଳନର ପ୍ରଚଳନ ହୋଇଥାଏ।