ଆଜି ପବିତ୍ର ଅକ୍ଷୟ ତୃତୀୟା: ଅଖିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ

ଓଏଲ୍ ବ୍ୟୁରୋ: ଆଜି ପବିତ୍ର ଅକ୍ଷୟ ତୃତୀୟା। ନାମକରଣ ଅନୁଯାୟୀ, ଆଜିର ଦିନରେ ମନୁଷ୍ୟ ସମାଜରେ ସୁଖ,ସମୃଦ୍ଧି ଓ ସୌଭାଗ୍ୟ ବୃଦ୍ଧି ହେଉ ଏବଂ ତାହା ଅକ୍ଷୟ ରହୁ ବୋଲି କାମନା କରାଯାଏ। ଓଡ଼ିଶାରେ ଏହି ଦିନଟିର ମାହାତ୍ମ୍ୟ ଆହୁରି ଅଧିକ। ବିଶେଷ କରି କୃଷି ପ୍ରାଧାନ୍ୟ ରାଜ୍ୟ ହୋଇଥିବାରୁ କୃଷି ଭିତ୍ତିକ କାର୍ଯ୍ୟର ଶୁଭାରମ୍ଭ କରାଯାଇଥାଏ। ଆଜିର ଦିନରେ ଚାଷୀ ଅଖିମୁଠି ଅନୁକୂଳ କରି କୃଷି କାର୍ଯ୍ୟର ଶୁଭାରମ୍ଭ କରିଥାଏ। ଆଜିର ଏହି ପବିତ୍ର ମୁହୂର୍ତ୍ତରେ କୌଣସି କାମ କଲେ, ତାହା ନିଶ୍ଚିତ ଶୁଭଙ୍କର ବୋଲି ବିଶ୍ୱାସ ରହିଛି। ବିଶେଷକରି ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ଏହି ପର୍ବ ପ୍ରତିଟି ଓଡ଼ିଆଙ୍କ ଆସ୍ଥାର ପ୍ରତୀକ ବୋଲି କୁହାଯାଏ।
ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆଜି ପାଳିତ ହେଉଛି ରାଜ୍ୟସ୍ତରୀୟ କୃଷକ ସମାରୋହ। ଅକ୍ଷୟ ତୃତୀୟା ଅବସରରେ ଅଖିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। OUAT ଫାର୍ମରେ ଅଖୀମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟାକୁ ଅକ୍ଷୟ ତୃତୀୟା କୁହାଯାଏ। ଏହାକୁ ମଧ୍ୟ କୃଷିଭିତିକ ପର୍ବ ବା କୃଷକଙ୍କ ପର୍ବ ବୋଲି କୁହାଯାଏ। କୃଷକମାନେ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ଏହାର ପାଳନ କରିଥାନ୍ତି। ଚାଷୀମାନେ କ୍ଷେତରେ ମୁଠାମୁଠା ବିହନ ବୁଣିଥାନ୍ତି, ଯାହାକୁ ଅଖିମୁଠି କହିଥାନ୍ତି। ଆଉ ଆଜିଠାରୁ ଚାଷ କାମ ଆରମ୍ଭ ହୋଇଥାଏ।
ଆଜିର ଦିନରେ କୌଣସି ନୂତନ କାର୍ଯ୍ୟର ଶୁଭାରମ୍ଭ ତଥା ଗୃହାରମ୍ଭ, ସୁନା ଗହଣା କିଣିବା, ନୂଆ କରି ବ୍ୟବସାୟ ଆରମ୍ଭ କରିବା ଆଦି ଏହି ଦିନରେ ଆରମ୍ଭ କଲେ ଶୁଭ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଶାସ୍ତ୍ର ଅନୁସାରେ, ଏହି ଦିନରେ ତ୍ରେତୟା ଯୁଗର ଆରମ୍ଭ ଏବଂ ମୁନୀ ବେଦବ୍ୟାସଙ୍କ ତତ୍ୱାବଧାନରେ ଗଜାନନ ଶ୍ରୀ ଗଣେଶ ଭାରତର ମହାନଗାଥା ତଥା ‘ମହାଭାରତ’ର ଲେଖା ଆରମ୍ଭ କରିଥିଲେ ବୋଲି ବିଶ୍ୱାସ ମଧ୍ୟ ରହିଛି।