Odisha Link
Bridging the Missing Links in Odisha

ବିଜେଡିର ୭ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା; ୪ ବିଧାୟକଙ୍କ କଟିଲା ଟିକେଟ

ଓଏଲ୍‌ ବ୍ୟୁରୋ: କମ୍ପୁଛି ନିର୍ବାଚନ ମୈଦାନ। ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ନିର୍ବାଚନକୁ ନଜରରେ ରଖି ସମସ୍ତ ଛାମୁଆ ଦଳ ଆରମ୍ଭ କରି ସାରିଲେଣି ଅଙ୍କକଷା। ବର୍ତ୍ତମାନର ଶାସକ ଦଳ ବିଜୁ ଜନତା ଦଳ ପୁଣିଥରେ ଶାସନ ଗାଦିରେ ବସିବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଚେହେରାକୁ ନେଇ ନିର୍ବାଚନ ଲଢେଇ ଆରମ୍ଭ ହୋଇଛି। ବିଧାନସଭା ପାଇଁ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏହାରି ମଧ୍ୟରେ ବିଜେଡି ୭ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି।

ଏହି ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ଆଉ ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ହିନ୍ଦୋଳରୁ ମହେଶ ସାହୁଙ୍କ ଦଳ ପ୍ରାର୍ଥୀ କରିଥିବା ବେଳେ କାକଟପୁରରୁ ତୁଷାରକାନ୍ତି ବେହେରା ପ୍ରାର୍ଥୀ ହୋଇଛନ୍ତି। ବରୀରୁ ବିଶ୍ବରଂଜନ ମଲ୍ଲିକ, ରଘୁନାଥପାଲିରୁ ଅର୍ଚ୍ଚନାରେଖା ବେହେରା, ବାଲିକୁଦା ଏରସମାରୁ ସାରଦା ପ୍ରସାଦ ଜେନା ଏବଂ ବାଙ୍ଗିରିପୋଷିରୁ ରଞ୍ଜିତା ମାରାଣ୍ଡିଙ୍କୁ ଦଳ ପ୍ରାର୍ଥୀ କରିଛି। ଏଯାବତ୍ ଦଳ ପକ୍ଷରୁ ମୋଟ ୧୪୧ ପ୍ରାର୍ଥୀଙ୍କ ନାମ ଘୋଷଣା ସରିଛି।

ଏହି କ୍ରମରେ ୬ଟି ବିଧାନସଭା ଆସନରୁ ୪ ବିଧାୟକଙ୍କ ଟିକେଟ କାଟିଛି ବିଜେଡି। ଆଜି ଘୋଷିତ ବିଜେଡିର ୬ ପ୍ରାର୍ଥୀଙ୍କ ମଧ୍ୟରୁ ୫ ନୂଆ ପ୍ରାର୍ଥୀଙ୍କୁ ଟିକେଟ ମିଳିଛି। ହିନ୍ଦୋଳରେ ପ୍ରଥମ ଥର ପାଇଁ ଲଢ଼ିବେ ମହେଶ ସାହୁ। ସୀମା ନାୟକଙ୍କ ଜାଗାରେ ମହେଶ ହେଲେ ନୂଆ ପ୍ରାର୍ଥୀ। ରଘୁନାଥପାଲୀରେ ନୂଆ ମୁହଁ ହେଲେ ଅର୍ଚ୍ଚନା ବେହେରା। ସୁବ୍ରତ ତରାଇଙ୍କ ଜାଗାରେ ପ୍ରାର୍ଥୀ ହେଲେ ଅର୍ଚ୍ଚନା। ବରୀରେ ସୁନନ୍ଦା ଦାସଙ୍କ ଜାଗା ନେଲେ ବିଶ୍ବରଂଜନ ମଲ୍ଲିକ। ବାଲିକୁଦା ଏରସମାରୁ ପ୍ରଥମ ଥର ବିଜେଡିରୁ ଲଢ଼ିବେ ସାରଦା ଜେନା। ରଘୁନନ୍ଦନ ଦାସଙ୍କ ଜାଗାରେ ସାରଦା ଜେନା ପାଇଲେ ଟିକେଟ। ବାଙ୍ଗିରିପୋଷିରେ ସୁଦାମ ମାର୍‌ଣ୍ଡିଙ୍କ ସ୍ଥାନ ନେଲେ ପତ୍ନୀ ରଂଜିତା ମାର୍‌ଣ୍ଡି।