Odisha Link
Bridging the Missing Links in Odisha

ଆଜିଠୁ ପୁଣି ମରାମତି ହେବ ରତ୍ନଭଣ୍ଡାର, ଶ୍ରୀମନ୍ଦିରରେ କଡ଼ା ସୁରକ୍ଷା ବ୍ୟବସ୍ଥା

ଓଏଲ୍‌ ବ୍ୟୁରୋ: ଆଜିଠୁ ପୁଣି ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ହେବ। ମାର୍ଗଦର୍ଶିକା ଆଧାରରେ ଦ୍ଵିତୀୟ ଭୋଗ ମଣ୍ଡପ ପରେ ମରାମତି ହେବ। ଅପରାହ୍ନ ୧୨ଟା ୩୦ରୁ ସନ୍ଧ୍ୟା ପ୍ରାୟ ୬ଟା ଯାଏଁ ମରାମତି କାମ କରାଯିବ। ଇଂରାଜୀ ନୂଆବର୍ଷ ଓ ଛୁଟି ଯୋଗୁଁ ଶ୍ରଦ୍ଧାଳୁଙ୍କ ଭିଡ଼ ସହିତ ଶୃଙ୍ଖଳିତ ନୀତିକାନ୍ତି ଓ ଦର୍ଶନକୁ ଦୃଷ୍ଟିରେ ରଖି ଡିସେମ୍ବର ୨୫ରୁ ଜାନୁଆରୀ ୨ ପର୍ଯ୍ୟନ୍ତ ରତ୍ନଭଣ୍ଡାର ମରାମତି କାମ ସ୍ଥଗିତ ରଖାଯାଇଥିଲା। ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଓ ଶ୍ରୀମନ୍ଦିର ପ୍ରଶାସନ ବ୍ୟବସ୍ଥା ଅନୁସାରେ ୩ ତାରିଖରୁ ପୁଣି ମରାମତି କାର୍ଯ୍ୟ ଆରମ୍ଭ ହେବ।

ସୂଚନାଯୋଗ୍ୟ, ଡିସେମ୍ବର ୧୭ ତାରିଖରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ହୋଇଥିଲା। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ୩ ମାସ ମଧ୍ୟରେ ରତ୍ନଭଣ୍ଡାର ମରାମତି କାମ ଶେଷ କରିବାକୁ ଏଏସଅଇ ଲକ୍ଷ୍ୟ ରଖିଛି। ତେବେ ଏହା ପୂର୍ବରୁ କାମ ସାରିବାକୁ ଚେଷ୍ଟା କରାଯିବ। ମରାମତି କାମ ସରିବା ପରେ ଅଳଙ୍କାର ସବୁ ରତ୍ନଭଣାରକୁ ସ୍ଥାନାନ୍ତର କରାଯିବ। ଏହାପରେ ରତ୍ନ ଅଳଙ୍କାରର ଗଣତି ମଣତି କରାଯିବ ବୋଲି କହିଥିଲେ ଆଇନ ବିଭାଗ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ।