Odisha Link
Bridging the Missing Links in Odisha

ବିଶ୍ୱ ଅଲିମ୍ପିକ୍ସ ଦିବସ, କାହିଁକି ପାଳନ ହୁଏ ଜାଣନ୍ତୁ..

ଓଏଲ୍‌ ବ୍ୟୁରୋ: ଆଥ୍‌ଲେଟମାନଙ୍କ ମଧ୍ୟରେ କ୍ରୀଡା ଭାବନା ସୃଷ୍ଟି କରିବା ଦିଗରେ ଅଲିମ୍ପିକ୍ସର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରତିବର୍ଷ ଜୁନ ମାସ ୨୩ ତାରିଖକୁ “ବିଶ୍ୱ ଅଲିମ୍ପିକ୍ସ ଦିବସ” ଭାବେ ପାଳନ କରାଯାଇଥାଏ। ପୃଥିବୀର ଖେଳାଳି ମାନଙ୍କୁ ଏକାଠି କରି ଗୋଟିଏ ମଂଚ ଉପରେ ଖେଳର ଆୟୋଜନ କରାଯାଇଥାଏ। ପ୍ରତି ଚାରି ବର୍ଷରେ ଥରେ ଆୟୋଜିତ ହୋଇଥାଏ ଏହି ବିଶ୍ୱସ୍ତରୀୟ ଖେଳ। ବିଶ୍ୱର ବିଭିନ୍ନ ଦେଶ ମାନଙ୍କରୁ ବିଭିନ୍ନ ବର୍ଗର ଖେଳାଳି ମାନେ ଏଥିରେ ଅଂଶଗ୍ରହଣ କରିଥାନ୍ତି। କିନ୍ତୁ ଏହା ହୁଏତ ଖୁବ କମ ଲୋକ ଜାଣିଥିବେ କାହିଁକି ଆଜିର ଦିନକୁ ହିଁ ଅନ୍ତରାଷ୍ଟ୍ରୀୟ ଅଲିମ୍ପିକ ଦିବସ ଭାବେ ପାଳନ କରାଯାଏ ତଥା ଏହା ପଛରେ ରହିଥିବା ଇତିହାସ ବିଷୟରେ।

୧୮୯୪ ମସିହା ଆଜିର ଦିନରେ ହିଁ “ଅନ୍ତରାଷ୍ଟ୍ରୀୟ ଅଲିମ୍ପିକ ସମିତି”ର ସ୍ଥାପନା ପ୍ୟାରିସର ସୋରବନ ଠାରେ ହୋଇଥିଲା। ବିଶ୍ୱର କୋଣ ଅନୁକୋଣରୁ ଖେଳାଳି ମାନଙ୍କ ପ୍ରତିଭାକୁ ସାମ୍ନାକୁ ଆଣିବା ସହ ସେମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ହିଁ ଏହି ସମିତିର ସ୍ଥାପନା କରାଯାଇଥିଲା। ଚେକ ଆଇଓସି ସଦସ୍ୟ ଡାକ୍ତର ଗ୍ରସ ଷ୍ଟକହୋମରେ ଆୟୋଜିତ ହୋଇଥିବା ଅଲିମ୍ପିକ୍ସର ୪୧ତମ ସଂସ୍କରଣରେ ଅଲିମ୍ପିକସର ଏହି ଖାସ ଦିନଟିକୁ ମନେ ରଖିବା ପାଇଁ ଏହି ଦିବସ ଟିକୁ ସ୍ୱତନ୍ତ୍ର ଭାବେ ପାଳନ କରାଯିବାକୁ ନିଷ୍ପତ୍ତି ନେଇଥିଲେ। ଏହାର କିଛି ମାସ ପରେ ହିଁ ୧୯୪୮ ମସିହାରେ ସେଣ୍ଟ ମୋରିଜରେ ଆୟୋଜିତ ହୋଇଥିବା ଆଇଓସିର ୪୨ ତମ ସଂସ୍କରଣରେ ଏହି ପ୍ରସ୍ତାବ ଉପରେ ମୋହର ବାଜିଥିଲା। ରାଷ୍ଟୀୟ ଅଲିମ୍ପିକ୍ସ ସମିତି ବା ଆଇଓସି ଆୟୋଜକ କମିଟିକୁ ଏହାର ଶ୍ରେୟ ଦିଆଯାଇଥିବା ବେଳେ ଏହି ତାରିଖଟି ଆଇଓସି ଇତିହାସରେ ଏକ ସ୍ୱର୍ଣ୍ଣିମ ମୁହୂର୍ତ୍ତ ପାଲଟି ଯାଇଥିଲା। ସେହି ଦିନ ଅର୍ଥାତ ୧୯୪୮ ମସିହା ଜୁନ ୨୩ ତାରିଖରେ ପ୍ରଥମେ ଏହି ଦିବସ ପାଳନ ହୋଇଥିଲା।