Odisha Link
Bridging the Missing Links in Odisha

କ୍ରିକେଟ ବିଶ୍ବକପ୍: ବର୍ଷା ଯୋଗୁ ବୀମା କମ୍ପାନୀର କ୍ଷତି

ଲଣ୍ଡନ: କ୍ରିକେଟ ବିଶ୍ବକପ୍‌ ୨୦୧୯ ପ୍ରାୟ ଅଧାଅଧି ହେବାକୁ ବସିଲାଣି। ଚଳିତ ବିଶ୍ୱକପ୍‌ରେ ଏକାଧିକ ମ୍ୟାଚ୍‌ ବର୍ଷା ଯୋଗୁ ଧୋଇ ହୋଇଯାଇଛି ଏକଥା ବି ସତ। ଏଥିପାଇଁ ବୀମା କମ୍ପାନୀ ଓ ପ୍ରସାରଣ ଦାୟିତ୍ୱରେ ଥିବା ଷ୍ଟାର ଇଣ୍ଡିଆକୁ ଶକ୍ତ ଝଟ୍‌କା ଲାଗିଛି। ଷ୍ଟାର ଇଣ୍ଡିଆ ମ୍ୟାଚ୍‌ ବେଳେ ପ୍ରସାରିତ ହେଉଥିବା ବିଜ୍ଞାପନରୁ ଅର୍ଥ ସଂଗ୍ରହ କରିଥାଏ। ହେଲେ ବର୍ଷା ହେବାରୁ ପ୍ରସାରଣ କମ୍ପାନୀର ବିପୁଳ କ୍ଷତି ଘଟାଇଛି। ତେବେ ସବୁଠାରୁ ଅଧିକ କ୍ଷତି ସହିଛନ୍ତି ବୀମା କମ୍ପାନୀ। ବର୍ଷା ଯୋଗୁ ଧୋଇ ଯାଇଥିବା ମ୍ୟାଚ୍‌ ଗୁଡ଼ିକ ପାଇଁ ବୀମା କମ୍ପାନୀ ଗୁଡ଼ିକୁ ପ୍ରାୟ ୧୮୦ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି। ବର୍ଷା ଯୋଗୁ ଆଇସିସି ଏକାଧିକ ମ୍ୟାଚ୍‌ ବାତିଲ କରିଛି। ତେଣୁ ଏହି ମ୍ୟାଚ୍‌ ଗୁଡ଼ିକର ପ୍ରସାରଣ ପାଇଁ ଟିଭି ଚ୍ୟାନେଲ ଗୁଡ଼ିକ ବିଜ୍ଞାପନ ବାବଦରେ ପାଇବାକୁ ଥିବା ଅର୍ଥ ପାଇନାହାନ୍ତି। ସେହିପରି ବୀମା କମ୍ପାନୀ ସାଧାରଣ ମ୍ୟାଚ୍‌ ଗୁଡ଼ିକ ପାଇଁ ୬୦ କୋଟିର ବୀମା କରୁଥିବା ବେଳେ ସେମି ଫାଇନାଲ ପାଇଁ ଏହା ୮୦ କୋଟି କରିଥାଏ। ସେହିପରି ଭାରତ-ପାକିସ୍ତାନ ଭଳି ହାଇଭୋଲଟେଜ୍‌ ମ୍ୟାଚ୍‌ରେ ଏହି ବୀମା ରାଶି ୧୨୫ କୋଟିରେ ମଧ୍ୟ ପହଞ୍ଚୁଥିବାର ଦେଖିବାକୁ ମିଳିଛି। ତେଣୁ ବର୍ଷା ଯୋଗୁଁ ବାତିଲ ହୋଇଥିବା ମ୍ୟାଚ୍‌ଗୁଡ଼ିକ ପାଇଁ ବୀମା କମ୍ପାନୀଗୁଡ଼ିକୁ ବିପୁଳ କ୍ଷତି ସହିବାକୁ ପଡ଼ିଛି।