ମନଇଚ୍ଛା ଏମିତି କରନି: ସୁର

ଭୁବନେଶ୍ବର: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ଶ୍ରୀ ରଉତରାୟ କହିଛନ୍ତି ଯେ, ନିଜ ନିଜ ଭିତରେ ମଦଭେଦ ରଖି ଏମିତି କରନି ଯାହା ଫଳରେ ଦଳରେ କ୍ଷତି ହେବ। ପିସିସି ମନଇଚ୍ଛା କିଛି କରନ୍ତୁ ନାହିଁ। ଯାହା ବି କରୁଛନ୍ତି ଏଆଇସିସିକୁ ପଚାରି କରନ୍ତୁ। ଏଠି ପିସିସି ଓ ଏଆଇସିସି ମଧ୍ୟରେ ସମନ୍ବୟ ରହୁନାହିଁ। ସମନ୍ବୟ ନଥିବାରୁ ବିଭିନ୍ନ କାର୍ଯ୍ୟରେ ମଦଭେଦ ସୃଷ୍ଟି ହେଉଛି। ଯାହାର ଫଳରେ କେବଳ ଦଳର କ୍ଷତି ହେଉଛି। ଯଦି ଏମିତି ହୁଏ ତାହାଲେ ସମନ୍ବୟ ଅଭାବ ସମ୍ପର୍କରେ ଆମେ ରାହୁଲ ଗାନ୍ଧିଙ୍କୁ ଜଣାଇବୁ।
ସୂଚନା ଅନୁସାରେ ଗତକାଲି ଯୁବ କଂଗ୍ରେସ ବୈଠକରେ କଂଗ୍ରେସ ଭବନରେ ଦେଖିବାକୁ ମିଳିଥିଲା ହାଇଡ୍ରାମା । ଆଶାୟୀ ପ୍ରାର୍ଥୀମାନେ ପାୱାର ଶୋ କରିଥିଲେ। ପରିସ୍ଥିତି ଏପରି ହୋଇଥିଲା କି ଯୁବ କଂଗ୍ରେସର ସର୍ବଭାରତୀୟ ସାଧାରଣ ସଂପାଦିକା ତଥା ଓଡିଶା ଇନଚାର୍ଜ ପ୍ରତିଭା ରଘୁବଂଶୀ ବୈଠକ ଅଧାରୁ ବାହାରକୁ ଆସି ଯୁବ କଂଗ୍ରେସ କର୍ମୀଙ୍କୁ ବୁଝାସୁଝା କରିବାକୁ ପଡିଥିଲା। ଯୁବ କଂଗ୍ରେସ ସଂଗଠନର ପୁର୍ନବିନ୍ୟାସ କରିବାକୁ ପିିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପୂର୍ବତନ ଯୁବ ସଭାପତିଙ୍କୁ ନେଇ ଏକ ୪ ଜଣିଆ କମିଟି ଗଠନ କରିଥିଲେ। ଏହି କମିଟି ବୈଠକ କରି ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ଯୁବ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ । କିନ୍ତୁ ଗତକାଲି ଯୁବ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଲୋକନାଥ ମହାରଥୀ ସଂଗଠନ ସଜାଡିବାକୁ କେନ୍ଦ୍ରୀୟ ପ୍ରତିନିଧିଙ୍କ ଉପସ୍ଥିତିରେ ବୈଠକ କରୁଥିବାବେଳେ ଆଶାୟୀ ବିଭିନ୍ନ ଗୋଷ୍ଠୀ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ।
ସୂଚନାଯୋଗ୍ୟ ଯେ ଯୁବ କଂଗ୍ରେସ ସଭାପତି ପଦ ପାଇଁ ୭ ଜଣ ଯୁବ ନେତା ଆଶାୟୀ ଅଛନ୍ତି। ଏଥି ପାଇଁ ସବୁ ଗୋଷ୍ଠୀ କେନ୍ଦ୍ର ନେତୃତ୍ୱ ସମ୍ମୁଖରେ ନିଜର ପତିଆରା ପ୍ରଦର୍ଶନ କରିବାକୁ ପଛାଇ ନାହାନ୍ତି। କିନ୍ତୁ କଂଗ୍ରେସର ଚିରାଚରିତ ଫାଟ ଯୁବ ସଂଗଠନରେ ସ୍ୱଷ୍ଟ ଭାବେ ବାରି ହୋଇପଡୁଛି। ଏହି ଫାଟ ଏଥିପାଇଁ କୁହାଯାଉଛି କାରଣ ଯୁବ କଂଗ୍ରେସକୁ ସଜାଡିବା ଲାଗି ପିସିସି ସଭାପତି ଯୁବ କଂଗ୍ରେସର ୪ ଜଣ ପୂର୍ବତନ ସଭାପତିଙ୍କୁ ନେଇ ଏକ କମିଟି ଗଠନ କରିଥିଲେ। ରବିବାର ଏହି କମିଟି ବୈଠକ କରି ବିଭିନ୍ନ ଯୁବ ନେତାଙ୍କ ସହ ଆଲୋଚନା କରିଥିଲେ ।
କିନ୍ତୁ ସେମାନେ କୈାଣସି ରିପୋର୍ଟ ଦେବା ଆଗରୁ ପୁଣିଥରେ ବୈଠକକୁ ନେଇ ଉଠିଛି ଦ୍ୱନ୍ଦ। ତେବେ ପିସିସି ସଭାପତି କହିଛିନ୍ତି ଯୁବ କଂଗ୍ରେସର ପଦାଧିକାରୀ କିଏ ହେବ ସେ ଦାୟିତ୍ୱ କେନ୍ଦ୍ରର । ସେ କମିଟିର ରିପୋର୍ଟ କେବଳ କେନ୍ଦ୍ର ଯୁବ କଂଗ୍ରେସ ଅଧିକାରୀଙ୍କୁ ପଠାଇବେ। ଯାହାକୁ ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସୁର ରାଉତରାୟ କହିଲେ ପିସିସି ଓ ଏଆଇସିସି ଭିତରେ ରହୁନି ସମନ୍ୱୟ। ଯୁବ କଂଗ୍ରେସ ସଭାପତି ଚୟନକୁ ନେଇ ଛକାପଞ୍ଝା ଚାଲିଛି ।