ବାତ୍ୟା ‘ନିସର୍ଗ’: ଦିନ ୧ରୁ ୪ଟା ଭିତରେ କରିବ ଲ୍ୟାଣ୍ଡଫଲ

ମୁମ୍ବାଇ: ଆଜି ସ୍ଥଳଭାଗ ଛୁଇଁବ ବାତ୍ୟା ‘ନିସର୍ଗ’। ଆଜି ଦିନ ୧ରୁ ୪ଟା ଭିତରେ ଲ୍ୟାଣ୍ଡଫଲ କରିବ। ଏନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତୁ୍ୟଞ୍ଜୟ ମହାପାତ୍ର। ତାଙ୍କ ସୂଚନା ଅନୁଯାୟୀ ଭୀଷଣ ବାତ୍ୟାର ରୂପ ନେଇ ଆଜି ଆଲିବାଗ ପାଖରେ ବାତ୍ୟା ‘ନିସର୍ଗ’ ଲ୍ୟାଣ୍ଡଫଲ କରିବ। ଲ୍ୟାଣ୍ଡଫଲ ବେଳେ ପବନର ବେଗ ଘଣ୍ଟାକୁ ୧୦୦ରୁ ୧୨୦ କିମି ରହିବ। ବାତ୍ୟା ‘ନିସର୍ଗ’ ପ୍ରଭାବରେ ସମୁଦ୍ରରେ ୨ରୁ ୩ ଫୁଟ ଉଚ୍ଚର ଜୁଆର ଉଠିବ। ବାତ୍ୟା ‘ନିସର୍ଗ’ ଯୋଗୁଁ ଥାନେ, ମୁମ୍ବାଇ ଓ ରାଇଘର ଅଧିକ ପ୍ରଭାବିତ ହେବ। ମଧ୍ୟ ମହାରାଷ୍ଟ୍ରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଆଇଏମଡି ଡିଜି ମୃତ୍ୟୁୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।
ଲ୍ୟାଣ୍ଡଫଲ୍ କରିବା ପରେ ଏହା ଉତ୍ତର-ଉତ୍ତରପୂର୍ବ ମୁହାଁ ହୋଇ ଉତ୍ତର ମହାରାଷ୍ଟ୍ର ଏବଂ ଦକ୍ଷିଣ ଗୁଜରାଟ ଉପକୂଳ ମଧ୍ୟ ଦେଇ ହରିହରେଶ୍ବର ଏବଂ ଦାମନ ଅତିକ୍ରମ କରିବ। ବାତ୍ୟା ମୁକାବିଲା ପାଇଁ ମହାରାଷ୍ଟ୍ର ଓ ଗୁଜରାଟ ସରକାର ବ୍ୟାପକ ପ୍ରସ୍ତୁତି କରିଛନ୍ତି । ଉଭୟ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ରେଡ୍ ଆଲର୍ଟ ଜାରି କରାଯାଇଛି । ପ୍ରଭାବିତ ହେବାକୁ ଥିବା ଦୁଇ ରାଜ୍ୟର ଉପକୂଳ ବର୍ତ୍ତି ଜିଲ୍ଲାରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ଗୁଜରାଟର ବିଭିନ୍ନ ସମୁଦ୍ର ଉପକୁଳବର୍ତ୍ତି ଜିଲ୍ଲାରୁ ୮୦ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ସାଉଥ ମୁମ୍ବାଇ, ନଭି ମୁମ୍ବାଇ ଗୁଜରାଟର ବିଭିନ୍ନ ଉପକୂଳ ଜିଲ୍ଲାରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି ।
ପ୍ରଶାସନ ପକ୍ଷରୁ ସମୁଦ୍ରକୂଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ବାତ୍ୟା ‘ନିସର୍ଗ’ର ମୁକାବିଲା ଲାଗି NDRF, କୋଷ୍ଟ୍ଗାର୍ଡ, ଅଗ୍ନିଶମ ବିଭାଗ ସଜାଗ ରହିଛି। ମହାରାଷ୍ଟ୍ର ଓ ଗୁଜରାଟରେ ରେଡ୍ ଆଲର୍ଟ ଜାରି କରାଯାଇଛି। ସୂଚନାଥାଉକି, ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ସୋମବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ସମୀକ୍ଷା କରିଥିବାବେଳେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସ୍ଥିତିର ସମୀକ୍ଷା କରିଥିଲେ।