ମାଙ୍କଡ଼ଙ୍କ ଠାରେ ‘କୋଭାକ୍ସିନ’ର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ : ମାଙ୍କଡ଼ ଦେହରେ ଭାରତ ବାୟୋଟେକର କରୋନା ଟୀକା ‘କୋଭାକ୍ସିନ’ର ସଫଳ ପରୀକ୍ଷଣ ହୋଇଛି। ପଶୁଙ୍କ ଉପରେ କୋଭାକ୍ସିନର ଟ୍ରାଏଲ ସଫଳ ହୋଇଥିବା ନେଇ ହାଇଦ୍ରାବାଦର ଭାରତ ବାୟୋଟେକ୍ କମ୍ପାନି ଦାବି କରିଛି। ଏଥସହ ଭାକସିନ୍ର ଦ୍ବିତୀୟ ପର୍ଯ୍ୟାୟ ଟ୍ରାଏଲ ପାଇଁ ମଞ୍ଜୁରୀ ମିଳିଛି। କୋଭାକ୍ସିନ୍ ପ୍ରୟୋଗ ଦ୍ୱାରା ମାଙ୍କଡ଼ ଶରୀରରେ ଆଂଟିବଡ଼ି ବିକଶିତ ହୋଇଛି। ପୂର୍ବରୁ ଲ୍ୟାବରେ କରୋନା ଭାଇରସ ମାରିବାରେ ସଫଳ କୋଭାକ୍ସିନ ଜୀବଜନ୍ତୁଙ୍କ କ୍ଷେତ୍ରରେ ବି ଫଳପ୍ରଦ ହୋଇଛି। ଏକ ସ୍ୱତନ୍ତ୍ର ପ୍ରଜାତିର ମାଙ୍କଡ଼କୁ କୋଭାକ୍ସିନ ଟୀକା ଦିଆଯାଇଥିଲା। ଏବେ ଏହାର ପ୍ରଥମ ପର୍ଯ୍ୟାୟ ମାନବୀୟ ପରୀକ୍ଷଣ ଚାଲିଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଅନୁମତି ମିଳିସାରିଛି।
ଭାରତ ବାୟୋଟେକ ପକ୍ଷରୁ ୨୦ଟି ମାଙ୍କଡ଼କୁ ନେଇ ୪ଟି ବର୍ଗରେ ବିଭକ୍ତ କରାଯାଇଥିଲା। ଗୋଟିଏ ବର୍ଗକୁ ପ୍ଲେସିବୋ ଦିଆଯାଇଥିବାବେଳେ ଅନ୍ୟ ତିନି ବର୍ଗ ମାଙ୍କଡ଼କୁ ଅନ୍ୟ ଟୀକା ଦିଆଯାଇଥିଲା। ଦ୍ୱିତୀୟ ଡୋଜ ଦେବା ପରେ ସବୁ ମାଙ୍କଡ଼ ଦେହରେ ସାର୍ସ କୋଭ-୨ ଭୂତାଣୁ ଛଡ଼ାଯାଇଥିଲା। ଟୀକା ନେବାର ତୃତୀୟ ସପ୍ତାହ ପରେ ମାଙ୍କଡ଼ ଶରୀରରେ କୋଭିଡ଼ ମୁକାବିଲା କ୍ଷମତା ବିକଶିତ ହୋଇଥିଲା । ସେହିପରି ମାଙ୍କଡ଼ଗୁଡ଼ିକ ଦେହରେ ନିମୋନିଆର ଲକ୍ଷଣ ମଧ୍ୟ ନଥିଲା।
ଆଇସିଏମଆାର-ଭାରତ ବାୟୋଟେକର କୋଭାକ୍ସିନ୍ ହେଉଛି ଇନଆକ୍ଟିଭେଟେଡ୍ ଭାକସିନ୍। କୋଭିଡର ଏହି ଷ୍ଟେ୍ରନ୍ ପୁଣେର ଏନଆଇଭି ଲ୍ୟାବରେ ଆଇସୋଲେଟ୍ କରାଯାଇଥିଲା। ଏହି ଡୋଜରୁ ଶରୀରରେ ଭାଇରସ ବିରୋଧରେ ଆଣ୍ଟିବଡି ତିଆରି କରେ। ୨୦୨୦ ଜୁଲାଇ ୧୫ରେ କୋଭାକ୍ସିନର ପ୍ରଥମ ପର୍ଯ୍ୟାୟ ଟ୍ରାଏଲ ଆରମ୍ଭ ହୋଇଥିଲା ତେବେ କୋଭାକ୍ସିନ ଟ୍ରାଏଲର ସବୁ ତଥ୍ୟ ଆଇସିଏମଆରକୁ ପଠାଯିବ। ସେଠାରେ ହିଁ ତଥ୍ୟର ବିଶ୍ଲେଷଣ କରାଯିବ। ତେବେ ସେରମ ଇନଷ୍ଟିଚ୍ୟୁଟ୍ ଅକ୍ସଫୋର୍ଡ ଟିକା ଟ୍ରାଏଲକୁ ସ୍ଥଗତି ରହିଥିବା ଅନ୍ୟ ଭାକସିନର ଟ୍ରାଏଲ ଜାରି ରହିଛି।