ପାଇଖାନାରେ ବିତୁଛି ଜୀବନ

ଧାମନଗର: ପାଇଖାନାରେ ବିତୁଛି ଜୀବନ। ଏଭଳି ଏକ ଅସହାୟା ବୃଦ୍ଧାଙ୍କ ଅବସ୍ଥା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କରଦା ପଞ୍ଚାୟତ ବେଦପୁର ଗାଁ ରେ। ୬୮ ବୃଦ୍ଧା ସରସ୍ଵତୀ ସାହୁଙ୍କ ପାଇଁ ସ୍ଵଚ୍ଛ ଭରତ ଅଭିଯାନର ପାଇଖାନା ଏବେ ସାଜିଛି ଘର। ପ୍ରଥମେ ଭଙ୍ଗା ଘରେ ରହୁଥିଲେ ମାତ୍ର ୨୦୧୧ ମସିହା ବନ୍ୟା ଘର ଭାଙ୍ଗି ଯାଇଥିଲା। ଏହାପରେ ଅସହାୟ ବୃଦ୍ଧା ସାହି ପଡିଶାଙ୍କ ଘରେ ରହୁଥିଲେ। ପଡିଶାଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ଏବେ ନିଜ ପାଇଖାନା ରେ ମୁଣ୍ଡ ଗୁଞ୍ଜିଛନ୍ତି ବୃଦ୍ଧା। ଏବେ ସେଇ ପାଇଖାନାରେ ରୋଷେଇ କରି ଖାଉଛନ୍ତି, ଶୋଉଛନ୍ତି ପୁଣି ଶୌଚ ମଧ୍ୟ ଯାଉଛନ୍ତି।
ବୃଦ୍ଧାଙ୍କ ସ୍ଵାମୀ ଓ ପୁଅ ବୋହୁ ସମସ୍ତେ ଅନ୍ୟ ରାଜ୍ୟରେ କାମ କରନ୍ତି। କେତେବେଳେ କେମିତି ଘରକୁ ଆସନ୍ତି। ପୁଅ ବୋହୁ ଓ ସ୍ଵାମୀ ଆସିଲେ ସମ୍ପର୍କୀୟ ଙ୍କ ଘରେ ରୁହନ୍ତି। ପୁଣି ପେଟ ପାଟଣା ପାଇଁ ପଳାଇଯାନ୍ତି। ପୁଅ ବୋହୁ ଓ ସ୍ଵାମୀ କାରୋନା ଜନିତ ସମସ୍ୟାରେ ଜର୍ଜରିତ। ନା ଗାଁ କୁ ଫେରିପାରୁଛନ୍ତି ନା ଘର ଖଣ୍ଡେ କରିପାରୁଛନ୍ତି। ଘର ଭାଙ୍ଗିବା ପରେ ଗାଁ ପଡୋଶୀଙ୍କ ଘରେ ରହୁଥିଲେ ବୃଦ୍ଧା। କିନ୍ତୁ ଦୀର୍ଘ ସମୟ ରହିବା ପରେ ସେମାନଙ୍କ ବ୍ୟବହାରରେ ପରିବର୍ତ୍ତନ ଦେଖି ସେଠାରୁ ଆସି ପାଇଖାନା ଘରେ ମୁଣ୍ଡ ଗୁଞ୍ଜିଛନ୍ତି।