Odisha Link
Bridging the Missing Links in Odisha

ଆଜି ଜେଡିୟୁରେ ଯୋଗ ଦେବେ ଗୁପ୍ତେଶ୍ଵର ପାଣ୍ଡେ

ପାଟନା: ସ୍ଵେଚ୍ଛାକୃତ ଅବସର ନେଇଥିବା ବିହାରର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଗୁପ୍ତେଶ୍ଵର ପାଣ୍ଡେ ଆଜି ଜେଡିୟୁରେ ସାମିଲ ହେବେ। ସେ ସନ୍ଧ୍ୟା ୫ଟାରେ ପାଟନା ସ୍ଥିତ ଜେଡିୟୁ କାର୍ଯ୍ୟାଳୟରେ ଦଳରେ ଯୋଗ ଦେବେ। ଅବସର ନେବା ପରେ ଗୁପ୍ତେଶ୍ଵର ରାଜନୀତିରେ ଯୋଗ ଦେବା ନେଇ ଚର୍ଚ୍ଚା ଜାରି ରହିଥିଲା ଏବଂ ଆଜି ସେ ଜନତା ଦଳ ୟୁନାଇଟେଡ୍(ଜେଡିୟୁ)ରେ ଯୋଗ ଦେଇ ରାଜନୈତିକ ଜୀବନ ଆରମ୍ଭ କରିବେ।

ଏହା ପୂର୍ବରୁ ସେ ଶନିବାର ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ଅଧ୍ୟକ୍ଷ ନୀତିଶ କୁମାରଙ୍କୁ ସାକ୍ଷାତ କରିଥିଲେ। ଏହା ପୂର୍ବରୁ ଗୁପ୍ତେଶ୍ଵର ପାଣ୍ଡେ ବୁଧବାର କହିଥିଲେ ଯେ, ନା ମୁଁ ବର୍ତ୍ତମାନ କୌଣସି ରାଜନୈତିକ ପାର୍ଟିରେ ସାମିଲ ହୋଇଛି ନା ମୁଁ ରାଜନୈତିକ ବ୍ୟକ୍ତି। ଯେବେ ମୁଁ ରାଜନୀତିକୁ ଯିବାକୁ ସ୍ଥିର କରିବି ଏବଂ କେଉଁ ଦଳରେ ଯୋଗ ଦେବି ତାହା ନିଶ୍ଚିତ ଭାବେ ଜଣାଇବି।

ପାଣ୍ଡେ କହିଥିଲେ, ମୁଁ ସେବାର ନିୟମରେ ବନ୍ଧା ବ୍ୟକ୍ତି ନୁହେଁ। ବର୍ତ୍ତମାନ ମୁଁ ଜଣେ ସ୍ଵାଧୀନ ବ୍ୟକ୍ତି। ଯଦି ମୁଁ ଚାହିଁବି ତେବେ ଦେଶର ଅନ୍ୟ ସାଧାରଣ ନାଗରିକଙ୍କ ପରି ନିର୍ବାଚନ ଲଢି ପାରିବି। ମୁଁ ବର୍ତ୍ତମାନ ଶତାଧିକ ଲୋକଙ୍କୁ ଭେଟିବାକୁ ଉତ୍ସୁକ। ବିଭିନ୍ନ ଜିଲ୍ଲାର ନିଜର ଶୁଭଚିନ୍ତକଙ୍କ ସହ କଥା ହେବି। ସ୍ଥିତି ଦେଖି କଣ କରିବି ସେ ନେଇ ସ୍ଥିର କରିବି।

Comments are closed.