କରୋନା: ସେବାୟତଙ୍କୁ ଘାରିଛି ସଂକ୍ରମଣର ଭୟ

ପୁରୀ: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା। ଏହାରି ଭିତରେ ପୁରୀ ଶ୍ରୀମନ୍ଦିର ସେବାୟତ ଓ କର୍ମଚାରୀଙ୍କୁ ଘାରିଛି ସଂକ୍ରମଣର ଭୟ। ୪୦୪ ଜଣ କରୋନା ସଂକ୍ରମିତ ହୋଇଥିବା ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା ସୂଚନା ଦେଇଛନ୍ତି। ମୋଟ ୪୦୪ ଜଣଙ୍କ ମଧ୍ୟରୁ ୩୫୧ ସେବାୟତ ଓ ୫୩ ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇ ସାରିଲେଣି। ଏଭଳି ସ୍ଥିତି ପରେ ଆରମ୍ଭ ହୋଇଛି ପ୍ରଶାସନିକ ତତ୍ପରତା। ଏନେଇ ପୁରୀରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମନ୍ଦିର ନୀତି ପ୍ରଶାସକ, ଉନ୍ନୟନ ପ୍ରଶାସକ, ସିଡିଏମଓ, ପରିଚାଳନା କମିଟି ସଦସ୍ୟ ପ୍ରମୁଖ ଏହି ବୈଠକରେ ଯୋଗଦେଇଥିଲେ।
ଯେଉଁ ସେବାୟତ ଗୁରୁତର ହେଉଛନ୍ତି ସଠିକ ଗାଇଡଲାଇନ ଅନୁଯାୟୀ, ସେମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଆସିଷ୍ଟାଣ୍ଡ ରେଭିନ୍ୟୁ ଅଫିସରଙ୍କ ନେତୃତ୍ୱରେ ୨ଟି ଟିମ୍ ଗଠନ କରାଯାଇଛି। ସେହିପରି ଭେଣ୍ଟିଲେଟର ଥାଇ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯିବା ସହ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ପରିସରରେ ପାନ ଛେପ ପକାଇଲେ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦିଆଯାଇଛି। ପାନ ଖାଇଥିବା ସେବାୟତଙ୍କୁ ଛାଡ଼ିଲେ ଦ୍ୱାର ଜଗୁଆଳି ଦଣ୍ଡିତ ହେବେ ବୋଲି ଚେତାବନୀ ଦିଆଯାଇଛି। ଏଭଳି ପରିସ୍ଥିତିରେ ଶ୍ରୀମନ୍ଦିର ଖୋଲିବ କି ନାହିଁ, ତାହା ରାଜ୍ୟ ସରକାର ନିଷ୍ପତ୍ତି ନେବେ। ତେବେ ନୀତିକାନ୍ତି ଯଦିବା ପ୍ରଭାବିତ ହେବ ନାହିଁ, କିନ୍ତୁ ଶ୍ରୀମନ୍ଦିର ଖୋଲିଲେ ତିରୁପତି ମନ୍ଦିର ଭଳି ସ୍ଥିତି ହୋଇପାରେ ବୋଲି ପରିଚାଳନା କମିଟିର ସଦସ୍ୟ କହିଛନ୍ତି।