ଲକଡାଉନ ସମୟରେ ମାଗଣାରେ ଶିକ୍ଷାଦାନ କରୁଛନ୍ତି ଯୁବତୀ
ଭୁବନେଶ୍ୱର : ଲକଡାଉନ ଯୋଗୁଁ ୫ ମାସରୁ ଉର୍ଦ୍ଧ୍ୱ ହେବ ରାଜ୍ୟର ବିଦ୍ୟାଳୟ ସବୁ ବନ୍ଦ ରହିଛି ଯାହାକି
ପିଲାମାନଙ୍କୁ ପାଠ ପଢାରୁ ବଞ୍ଚିତ କରି ରଖିଛି ।
ଏମିତି ସମୟରେ ବଲାଙ୍ଗିର ଜିଲ୍ଲାର ଫୁଲ୍ଝରନ୍ ଗ୍ରାମର ୨୧ ବର୍ଷୀୟା ଯୁବତୀ ଡିଲେଶ୍ୱରୀ ଧରୁଆଙ୍କ ପିଲାମାନଙ୍କ ମଧ୍ୟରେ ଶିକ୍ଷଣ ବ୍ୟବଧାନକୁ ଦୂର କରିବା ପ୍ରୟାସ ଅନେକଙ୍କ ପାଇଁ ଉଦାହରଣ ସୃଷ୍ଟି କରିବା ସହିତ ତାଙ୍କୁ ଏଥିପାଇଁ ଅନେକ ପ୍ରଶଂସା ମଧ୍ୟ ମିଳିଛି ।
ଫୁଲ୍ଝରନ୍ ଗ୍ରାମଟି ଜିଲ୍ଲା ମୂଖ୍ୟାଳୟ ଠାରୁ ମାତ୍ର ୧୦ କି.ମି. ଦୂରରେ ଅବସ୍ଥିତ । ଗ୍ରାମରେ ଗୋଟିଏ
ସରକାରୀ ବିଦ୍ୟାଳୟ ଅଛି ଯେଉଁଠି ପ୍ରାୟ ୩୦ ଜଣ ପିଲା ପଢନ୍ତି । କିନ୍ତୁ ଯେତେବେଳେ କରୋନା ମହାମାରୀ ଯୋଗୁଁ ସ୍କୁଲ ସବୁ ବନ୍ଦ କରିଦିଆଗଲା, ତା ପରଠୁଁ ସେଇ ପିଲାମାନଙ୍କର ପାଠପଢାରେ ଡୋରି ବନ୍ଧା ହୋଇଗଲା ।
ରାଜ୍ୟ ସରକାର ସ୍କୁଲ ଛାତ୍ରଛାତ୍ରୀମାନଙ୍କ ପାଇଁ ଅନ୍ଲାଇନ ଶିକ୍ଷାଦାନର ବ୍ୟବସ୍ଥା କରିଛନ୍ତି କିନ୍ତୁ ଗାଁର ଗରିବ ଶ୍ରେଣୀର ପିଲାମାନଙ୍କ ପାଖରେ ସ୍ମାର୍ଟ ଫୋନ କିମ୍ବା ଟିଭି ନ ଥିବାରୁ ସେମାନେ ପାଠପଢାରୁ ବଞ୍ଚିତ ହେଉଛନ୍ତି ।
ଆହୁରି ମଧ୍ୟ ମୋବାଇଲ ନେଟୱାର୍କ ଅନେକ ସମୟରେ ଠିକ୍ରେ କାମ କରୁ ନଥିବାରୁ ଯେଉଁ କିଛି ପିଲାମାନଙ୍କର ଫୋନ ଅଛି, ସେମାନେ ମଧ୍ୟ ଅନ୍ ଲାଇନ ପାଠ ପଢିବାରେ ଅସୁବିଧା ହେଉଛି ।
ଏସବୁ ଦେଖିବା ପରେ ଡିଲେଶ୍ୱରୀ ମନେ ମନେ ଚିନ୍ତା କଲେ ଏ ପିଲାମାନଙ୍କୁ ପାଠ ପଢାଇବାକୁ । ଠିକ୍ ଏହି ସମୟରେ ସେ ଜାଣିଲେ ଯେ, ରାଜ୍ୟ ସ୍ତରୀୟ ଲୋକ ସଙ୍ଗଠନ ସମୂହ ଓଡିଶା ଶ୍ରମଜୀବୀ ମଞ୍ଚ ଏବଂ ମହିଳା ଶ୍ରମଜୀବି ମଞ୍ଚ, ଓଡିଶାର ଆହ୍ୱାନ କ୍ରମେ ଜିଲ୍ଲାର ଲୋକ ଉନ୍ନତି ସଙ୍ଗଠନ ଗାଁ ଗାଁରେ ପ୍ରତିକାରାତ୍ମକ ଶିକ୍ଷା କାର୍ଯ୍ୟକ୍ରମ ଅଭିଯାନ ଚଳାଇଛନ୍ତି ।
ଏସବୁ ଜାଣିବା ପରେ ସେ ସଙ୍ଗଠନର ଏହି ଅଭିଯାନରେ ସ୍ୱେଚ୍ଛାସେବୀ ଭାବେ ଯୋଗ ଦେଲେ ଏବଂ ତା ପରଠୁ ପାଖାପାଖି ଦୁଇମାସ ହେବ ନିଜ ଗାଁରେ ପ୍ରତ୍ୟେକ ଦିନ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ଦୁର୍ବଳ ଶିକ୍ଷାର୍ଥୀମାନଙ୍କୁ ମାଗଣାରେ ଦୁଇ ଘଣ୍ଟା ପାଠ ପଢାଉଛନ୍ତି ।
ଡିଲେଶ୍ୱରୀଙ୍କ ଏହି ପ୍ରୟାସକୁ ସ୍ଥାନୀୟ ବାସିନ୍ଦା ଏବଂ ଅଭିଭାବକମାନେ ବେଶ ପ୍ରଶଂସା କରିଛନ୍ତି ।
ଏ ସମ୍ପର୍କରେ ଗ୍ରାମର ଜଣେ ଅଭିଭାବକ ଚମର ବିଶ୍ୱାଳ କହନ୍ତି “ଯେଉଁ ସମୟରେ ସରକାରୀ ଶିକ୍ଷକମାନେ ଘରେ ବସିଛନ୍ତି, ସେଇ ସମୟରେ ଜଣେ ଗରିବ ଅଥଚ ଶିକ୍ଷିତା ଯୁବତୀଙ୍କ ଏଭଳି ନିଆରା ପ୍ରୟାସ ଅତ୍ୟନ୍ତ ପ୍ରଶଂସନୀୟ ।
ତାଙ୍କର ଏ ଶିକ୍ଷାଦାନ କେବଳ ପିଲାଙ୍କ ମଧ୍ୟରେ ଥିବା ଶିକ୍ଷଣ ବ୍ୟବଧାନକୁ ଦୂର କରୁନାହିଁ ବରଂ ଅନେକ ପିଲାଙ୍କୁ ବାଲ୍ୟ ବିବାହ କରିବା, ଶିଶୁ ଶ୍ରମିକ ହେବାରୁ ରକ୍ଷା କରିବା ସହିତ ଅନ୍ୟାନ୍ୟ ଶୋଷଣରୁ ମୁକ୍ତ କରିବାରେ ସହାୟକ ହୋଇପାରିଛି ।”
ଡିଲେଶ୍ୱରୀ ବଲାଙ୍ଗିର ସ୍ଥିତ ମହିଳା ମହାବିଦ୍ୟାଳୟରେ +୨ ପାଠ୍ୟକ୍ରମ ସମାପ୍ତ କରିବା ପରେ ଉଚ୍ଚଶିକ୍ଷା ପାଇଁ ଇଚ୍ଛା ରଖିଥିଲେ, କିନ୍ତୁ ଆର୍ଥୀକ ଅଭାବ ଯୋଗୁଁ ଏହା ସମ୍ଭବ ହୋଇ ପାରି ନ ଥିଲା ।
୨୦୧୮ ମସିହାରେ ନିଜ ପିତାଙ୍କୁ ହରେଇବା ପରେ ନିଜର ବୃଦ୍ଧା ମା ଏବଂ ଦୁଇ ଜଣ ସାନ ଭାଇଙ୍କର ପରିପୋଷଣର ଦାୟୀତ୍ୱ ମଧ୍ୟ ଡିଲେଶ୍ୱରୀଙ୍କ ଉପରେ ପଡିଲା ।
ତା ସତ୍ୱେ ମଧ୍ୟ ସମାଜ ପାଇଁ କିଛି କରିବା ଏବଂ ବିଶେଷକରି ଶିକ୍ଷାର ମହତ୍ୱକୁ ଉପଲବ୍ଧି କରି ମାଗଣାରେ ପିଲାମାନଙ୍କୁ ପାଠ ପଢେଇବା କେବଳ ସେଇ ପିଲାମାନଙ୍କ ଶିକ୍ଷାର ବିକାଶରେ ସହାୟକ ହୋଇନି ବରଂ ଗ୍ରାମାଞ୍ଚଳରେ ଶିକ୍ଷାର ମହତ୍ୱ ଉପରେ ମଧ୍ୟ ଅନେକ ସଚେତନତା ଆସିପାରିଛି ଏବଂ ତା ସହିତ ସ୍ଥାନୀୟ ଅଂଚଳର ଆହୁରି ୨୬ ଜଣ ଯୁବକ ଯୁବତୀଙ୍କୁ ଏଭଳି ସାମାଜିକ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇଛି, ଯାହାର ଫଳ ସ୍ୱରୁପ ଜିଲ୍ଲାରେ ଏବେ ୨୧୬ ଜଣ ପିଲା ଏହି ପ୍ରତିକାରାତ୍ମକ ଶିକ୍ଷା ଗ୍ରହଣ କରିବାର ସୁଯୋଗ ପାଉଛନ୍ତି ।
Comments are closed.