ଉପନିର୍ବାଚନ: ମଇଦାନକୁ ଓହ୍ଲାଇବେ ଷ୍ଟାର୍ ପ୍ରଚାରକ

ଭୁବନେଶ୍ୱର: ବାଲେଶ୍ଵର ଓ ତିର୍ତ୍ତୋଲ ଉପନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇବେ ଷ୍ଟାର୍ ପ୍ରଚାରକ। କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକାରେ ଥିବା ପିସିସି ପ୍ରଭାରୀ ଚେଲ୍ଲା କୁମାର ୨୨ତାରିଖରୁ ଉଭୟ ବାଲେଶ୍ଵର ଓ ତିର୍ତ୍ତୋଲରେ ପ୍ରଚାରର ମଙ୍ଗ ସମ୍ଭାଳିବେ। ଠିକ୍ ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୩ରେ ତିର୍ତ୍ତୋଲ ଓ ୨୪ରେ ବାଲେଶ୍ୱରରେ ବିଜେପି ପାଇଁ ପ୍ରଚାର କରିବେ। ସଭା ଓ ରୋଡ୍ ଶୋ’ ଆଦି କାର୍ଯ୍ୟକ୍ରମରେ ଯୋଗଦେବେ ଧର୍ମେନ୍ଦ୍ର।
ସେପଟେ ବିଜେଡି ଉପନିର୍ବାଚନ ପାଇଁ ଜୋରଦାର ପ୍ରଚାର ଜାରି ରଖିଛି। ଆବଶ୍ୟକ ପଡ଼ିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାରକୁ ଓହ୍ଲାଇବେ ବୋଲି ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି। ତିର୍ତ୍ତୋଲରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କ ପ୍ରତି ସମର୍ଥନ ବଢୁଥିବା ଦେଖାଯାଇଛି। ତାଙ୍କ ପାଇଁ ରାଜ୍ୟର ହେଭିଓ୍ୱେଟ୍ ନେତା ପ୍ରଚାର କରୁଛନ୍ତି। ମୂଳିସିଂ ଓ କନକପୁରରେ ରୋଡ୍ ଶୋ’ ମଧ୍ୟ କରିଛି ବିଜେଡି। ଅତନୁ ସବ୍ୟସାଚୀ ନାୟକଙ୍କ ସମେତ ବିଜେଡିର ବହୁ ତୁଙ୍ଗ ନେତା ଏଥିରେ ସାମିଲ ହୋଇଥିଲେ।