ପାଞ୍ଚ ବର୍ଷର ପୁଅକୁ ହତ୍ୟା କଲା ବାପା

ମୟୁରଭଞ୍ଜ: ପାଞ୍ଚ ବର୍ଷର ପୁଅକୁ ପଥରରେ ଛେଚି ହତ୍ୟା କଲା ବାପା। ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ବେଲଡୁଙ୍ଗୁରି ଗ୍ରାମରେ ଏଭଳି ନୃଶଂସ ଘଟଣା ଘଟିଛି। ଗତକାଲି ରାତି ଦୁଇଟା ସମୟରେ ସୁଦନ ଦେହୁରୀ ନିଜର ପାଞ୍ଚ ବର୍ଷର ପୁଅକୁ ପଥରରେ ଛେଚି ହତ୍ୟା କରିଥିବା ଜଣାପଡ଼ିଛି। ହତ୍ୟାକାରୀ ବାପାକୁ ପୁଲିସ ଗିରଫ କରି ଘଟଣାର ତଦନ୍ତ କରୁଛି। ପାରିବାରିକ କଳହ କାରଣରୁ ହତ୍ୟା କରାଯାଇଥିବା ଜଣାପଡିଛି।
ସୂଚନା ମୁତାବକ, ହତ୍ୟାକାରୀ ବାପା କୁଳିଅଣା ଥାନା ଅନ୍ତର୍ଗତ ବାଲିଡ଼ିହା ଗ୍ରାମରେ ରହୁଥିବା ବେଳେ ସ୍ତ୍ରୀ ଓ ପିଲାମାନେ ଶଶୁର ଘର ବେଲଡୁଙ୍ଗୁରିରେ ରହୁଥିଲେ। ସେ ମଝିରେ ମଝିରେ ସ୍ତ୍ରୀ ପାଖକୁ ଆସୁଥିଲେ।ଗତ କାଲି ରାତିରେ ସେ ଆସିବା ବେଳକୁ ସ୍ତ୍ରୀକୁ ଘରେ ନ ପାଇବାରୁ ରାଗ ଚଢିଯାଇଥିଲା ଏବଂ ଆଈ ପାଖରେ ଶୋଇଥିବା ପାଞ୍ଚ ବର୍ଷର ପୁଅକୁ ଘୋଷାରି ଆଣି ପଥରରେ ଛେଚି ମାରିଦେବା ପରେ ଦୂରକୁ ଫିଙ୍ଗିବା ପାଇଁ ଚେଷ୍ଟା କରୁଥିଲା। ଏହି ସମୟରେ ଗ୍ରାମବାସୀମାନେ ତାକୁ କାବୁ କରି ବାନ୍ଧି ରଖି ଗ୍ରାମରକ୍ଷୀକୁ ଖବର ଦେଇଥିଲେ। ଗ୍ରାମରକ୍ଷୀଙ୍କ ଏତଲା ଆଧାରରେ ବଡ଼ସାହି ପୁଲିସ ସୁଦନ ଦେହୁରୀକୁ ଗିରଫ କରି ତଦନ୍ତ ଚଳାଇଛି।